ଥୋମାସ ଆଲଭା ଏଡିସନ
ଥୋମାସ ଆଲ୍ଭା ଏଡ଼ିସନ (English: Thomas Alva Edison)(ଫେବୃଆରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବ୍ୟବସାୟୀ ଥିଲେ । ସେ ଅନେକ ଯନ୍ତ୍ର ଉଦ୍ଭାବନ କରିଥିଲେ ଯାହା ବିଶ୍ୱଜୀବନକୁ ପ୍ରଭାବିତ କରିଥିଲା ଯଥା ଫୋନୋଗ୍ରାଫ, ଚଳଚ୍ଚିତ୍ର କ୍ୟାମେରା ଓ ବିଦ୍ୟୁତ ବଲ୍ବ । ତା ସହିତ ସେ ବିଶ୍ୱର ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ । ଜଣେ ଖବରକାଗଜ ସାମ୍ବାଦିକଙ୍କ ଦ୍ୱାରା ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧିତ, ସେ ଥିଲେ ସମୁହ ଉତ୍ପାଦନ ଓ ଏକତ୍ରିତ ଉଦ୍ଭାବନର ସୂତ୍ର ପ୍ରୟୋଗ କରିବାରେ ଜଣେ ପ୍ରଥମ ବ୍ୟକ୍ତି, ସେଥି ପାଇଁ ସେ ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ବୋଲି କୁହାଯାଏ ।
ଏଡ଼ିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ । ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର । ଏହା ଭିତରେ ଥିଲା ଷ୍ଟକ ଟିକର, ଯାନ୍ତ୍ରିକ ଭୋଟ ଗଣାଳୀ, ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ ଶକ୍ତି, ମ୍ୟୁଜିକ ରେକର୍ଡ଼ ଏବଂ ମୋସନ ପିକ୍ଚର । ଜଣେ ଟେଲିଗ୍ରାଫ ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ । ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ । ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମାନହାଟାନ ଦ୍ଵୀପ, ନିଉୟର୍କରେ ଥିଲା ।
[ଏହାକୁ ବଦଳାନ୍ତୁ] ବାଲ୍ୟ ଜୀବନ
ଥୋମାସ ଏଡ଼ିସନ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ, ମିଚିଗାନ୍ରେ ଲାଳିତପାଳିତ ହୋଇଥିଲେ । ସେ ସାମୁଏଲ ଓଗଡେନ ଏଡ଼ିସନ, ଜୁନିୟର (୧୮୦୪-୯୬ ମାର୍ସାଲ ଟାଉନ, ନୋଭା ସ୍କଟିଆ, କାନାଡ଼ାରେ ଜନ୍ମିତ) ଏବଂ ନାନସି ମାଥିଉଜ ଇଲିଅଟଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉୟର୍କରେ ଜନ୍ମିତ) ସପ୍ତମ ତଥା ଶେଷ ସନ୍ତାନ ଥିଲେ । ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡ଼ାରୁ ପଳାଇ ଆସିବାକୁ ପଡିଲା । ଏଡ଼ିସନ ନିଜକୁ ଡଚ ବଂଶଧର ବୋଲି ଭାବୁଥିଲେ ।
ବିଦ୍ୟାଳୟରେ ଶିଶୁ ଏଡ଼ିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ । ଏତିକିରେ ଏଡ଼ିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା । ଏଡ଼ିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ । ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି । ତାଙ୍କ ମାଆ ତାଙ୍କୁ ଘରେ ପଢ଼ାଉଥିଲେ । ତାଙ୍କର ଅଧିକାଂଶ ଶିକ୍ଷା ଆର.ଜି. ପାର୍କରଙ୍କର ସ୍କୁଲ ଅଫ ନାଚୁରାଲ ଫିଲୋସୋଫି ଓ ଦି କୁପର ୟୁନିଅନରୁ ଆସିଥିଲା ।