ତାଡୋବା ଜାତୀୟ ଉଦ୍ୟାନ

Coordinates: 20°10′00″N 79°24′00″E / 20.16667°N 79.40000°E / 20.16667; 79.40000
ଉଇକିପିଡ଼ିଆ‌ରୁ
ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପ
ତାଡୋବା ରାଷ୍ଟ୍ରୀୟ ଉଦ୍ୟାନ (ताडोबा राष्ट्रीय उद्यान)
IUCN Category II (National Park)
ତାଡୋବାର ବାଘୁଣୀ ମାୟା
Map showing the location of ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପ ତାଡୋବା ରାଷ୍ଟ୍ରୀୟ ଉଦ୍ୟାନ (ताडोबा राष्ट्रीय उद्यान).
Map showing the location of ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପ ତାଡୋବା ରାଷ୍ଟ୍ରୀୟ ଉଦ୍ୟାନ (ताडोबा राष्ट्रीय उद्यान).
ଅବସ୍ଥାନଚନ୍ଦ୍ରପୁର ଜିଲ୍ଲା, ମହାରାଷ୍ଟ୍ର, ଭାରତ
ପାଖ ସହରଚନ୍ଦ୍ରପୁର ୪୦ କି.ମି. (୨୫ ମାଇଲ୍) ପୂର୍ବ
ଦିଗବାରେଣି20°10′00″N 79°24′00″E / 20.16667°N 79.40000°E / 20.16667; 79.40000
କ୍ଷେତ୍ରଫଳ୬୨୫.୪ ବର୍ଗ କି.ମି.
ସ୍ଥାପିତ୧୯୫୫
ପରିଚାଳନାMaharashtra Forest Department
ବେବସାଇଟmahatadobatiger.com
ତାଡୋବା ଜାତୀୟ ଉଦ୍ୟାନର ଏକ ସମ୍ବର ହରିଣ

ତାଡୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟ (ଈଂରାଜୀରେ Tadoba Andhari Tiger Reserve, ହିନ୍ଦୀରେ ताडोबा-अंधारी व्याघ्र प्रकल्प) କେନ୍ଦ୍ରୀୟ ଭାରତର ଏକ ବ୍ୟାଘ୍ର ଅଭୟାରଣ୍ୟ । ଏହା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଅବସ୍ଥିତ ଏହି ଅଭୟାରଣ୍ୟ ମହାରାଷ୍ଟ୍ରର ସର୍ବବୃହତ୍ ଓ ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ । ଭାରତର ବ୍ୟାଘ୍ର ପ୍ରକଳ୍ପ (ପ୍ରୋଜେକ୍ଟ୍ ଟାଇଗର୍)ଦ୍ୱାରା ଚିହ୍ନଟ ୫୦ଟି ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଏହା ଅନ୍ୟତମ ।[୧] ବାଘଙ୍କ ସୁରକ୍ଷା ନିମନ୍ତେ ନିର୍ମିତ ହୋଇଥିବା ଏହି ଉଦ୍ୟାନରେ ବାଘ ବ୍ୟତୀତ ୫୦ ପ୍ରଜାତିର ପଶୁ ଓ ୧୯୫ ପ୍ରଜାତିର ପକ୍ଷୀ ବାସକରନ୍ତି ।

ନାମକରଣ[ସମ୍ପାଦନା]

"ତାଡୋବା" ବା "ତରୁ" ନାମକ ଜଣେ ଆଦିବାସୀ ଦେବତାଙ୍କ ନାମରୁ ତାଡୋବା ଶବ୍ଦଟି ଉଦ୍ଧୃତ । ତାଡୋବା ଓ ଅନ୍ଧାରୀ ଅଞ୍ଚଳର ଜଙ୍ଗଲରେ ଏହି ଆଦିମ ଜନଜାତିର ଲୋକେ ବସବାସ କରନ୍ତି । ଅନ୍ଧାରୀ ନାମଟି ଅନ୍ଧାରୀ ନଦୀରୁ ଗୃହୀତ । ଅନ୍ଧାରୀ ନଦୀ ଏହି ଜଙ୍ଗଲ ମଧ୍ୟଦେଇ ପ୍ରବାହିତ ।[୨]

ଇତିହାସ[ସମ୍ପାଦନା]

ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ତରୁ ନାମକ ଜଣେ ଗ୍ରାମ ମୁଖିଆ ଏକ ବାଘ ସହ ଯୁଦ୍ଧରେ ପ୍ରାଣ ହରାଇଥିଲେ । ତାହା ପରେ ଆଦିବାସୀମାନେ ତରୁଙ୍କୁ ଭଗବାନ ରୂପେ ମାନି ଆସୁଛନ୍ତି । ତାଡୋବା ହ୍ରଦର କୂଳରେ ଏକ ବିରାଟ ବୃକ୍ଷ ତଳେ ଏହି ଆଦିବାସୀ ତରୁ ଭଗବାନଙ୍କ ପୀଠ ରହିଛି । ଏଠାକାର ଆଦିବାସୀମାନେ ବହୁସଂଖ୍ୟାରେ ତରୁଙ୍କ ପୂଜାପୀଠର ଦର୍ଶନ କରିଥାନ୍ତି । ଡିସେମ୍ବର-ଜାନୁଆରୀ ମାସ (ହିନ୍ଦୁ ପୌଷମାସ)ରେ ଏହି ପୀଠରେ ଏକ ମେଳା ଅନୁଷ୍ଠିତ ହୋଇଥାଏ ।

ଚିମୁର୍ ପାହାଡ଼ ପାର୍ଶ୍ୱରେ ରହିଥିବା ଜଙ୍ଗଲଗୁଡ଼ିକ ଗୋଣ୍ଡ୍ ରାଜାମାନଙ୍କ ଶାସନାଧୀନ କ୍ଷେତ୍ରରେ ଥିଲା । ୧୯୩୫ ମସିହାରୁ ଏଠାରେ ଶିକାର କରିବା ପାଇଁ ନିଷିଦ୍ଧାଦେଶ ଜାରୀ କରାଯାଇଥିଲା । ଦୁଇ ଦଶନ୍ଧି ପରେ ୧୯୫୫ ମସିହାବେଳକୁ ୧୧୬.୫୪ ବର୍ଗ କି.ମି. ପରିମିତ ଜଙ୍ଗଲକୁ ଜାତୀୟ ଉଦ୍ୟାନ ବୋଲି ଘୋଷଣା କରାଗଲା । ୧୯୮୬ ମସିହାରେ ପାର୍ଶ୍ୱବର୍ତ୍ତୀ ଅନ୍ଧାରୀ ବନ୍ୟଜନ୍ତୁ ଅଭୟାରଣ୍ୟ ପ୍ରତିଷ୍ଠିତ ହୋଇଥିଲା । ୧୯୯୫ ମସିହାରେ ତାଡୋବା ଓ ଅନ୍ଧାରୀ ଅଭୟାରଣ୍ୟକୁ ମିଶାଇ ଏକ ବୃହତ୍ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ କରାଗଲା ।[୨]

ଭୌଗୋଳିକ ତଥ୍ୟ[ସମ୍ପାଦନା]

ତାଡୋବା ଅନ୍ଧାରୀ ଅଭୟାରଣ୍ୟ ମହାରାଷ୍ଟ୍ରର ସର୍ବବୃହତ୍ ଜାତୀୟ ଉଦ୍ୟାନ । ଏହାର ସର୍ବମୋଟ କ୍ଷେତ୍ରଫଳ ୬୨୫.୪ କି.ମି.

ତାଡୋବାରେ ବାଘଙ୍କ ସାମ୍ପ୍ରତିକ ସ୍ଥିତି[ସମ୍ପାଦନା]

ଅଗଷ୍ଟ ୨୦୧୬ର ଗଣନା ଅନୁଯାୟୀ ଅଭୟାରଣ୍ୟ ମଧ୍ୟରେ ୮୮ ଓ ଅଭୟାରଣ୍ୟକୁ ସଂଲଗ୍ନ ଜଙ୍ଗଲରେ ୫୮ଟି ବାଘ ରହିଥିଲେ ।[୩]

ତାଡୋବା ଅନ୍ଧାରୀ ଅଭୟାରଣ୍ୟ

ତାଡୋବା ଅଭୟାରଣ୍ୟର ଏକ ବାଘ

ତାଡୋବା ଅନ୍ଧାରୀ ଅଭୟାରଣ୍ୟ ମହାରାଷ୍ଟ୍ରର ବୃହତ୍ତମ ଜାତୀୟ ଉଦ୍ୟାନ । ଅଭୟାରଣ୍ୟର ସର୍ବମୋଟ କ୍ଷେତ୍ରଫଳ ୬୨୫.୪ ବର୍ଗ କି.ମି. । ଏଥିରୁ ୧୧୬.୫୫ କି.ମି. ୧୯୫୫ ମସିହାରେ ସ୍ଥାପିତ ତାଡୋବା ଅଭୟାରଣ୍ୟର ହୋଇଥିବା ବେଳେ ପ୍ରାୟ ୫୦୫.୮୫ କି.ମି. ହେଉଛି ୧୯୮୬ ମସିହାରେ ସ୍ଥାପିତ ଅନ୍ଧାରୀ ବନ୍ୟପ୍ରାଣୀ ଅଭୟାରଣ୍ୟର । ଏହି ଅଭୟାରଣ୍ୟ ମଧ୍ୟରେ ୩୨.୫୧ ବର୍ଗ କି.ମି. ପରିମିତ ସଂରକ୍ଷିତ ଜଙ୍ଗଲ ଓ ୧୪..୯୩ କି.ମି. ପରିମିତ ଅନ୍ୟାନ୍ୟ ଜଙ୍ଗଲ ମଧ୍ୟ ରହିଛି ।

ତାଡୋବା ଜଙ୍ଗଲରେ ନିଜ ଶାବକଙ୍କ ସହିତ ବାଘୁଣୀ ମାୟା

ଘଞ୍ଚ ଜଙ୍ଗଲ ଭରା ପାହାଡ଼ ଏହି ଅଭୟାରଣ୍ୟର ଉତ୍ତର ଓ ପଶ୍ଚିମ ସୀମା ନିର୍ଦ୍ଧାରଣ କରନ୍ତି । ପାହାଡ଼ଗୁଡ଼ିକର ଉଚ୍ଚତା ୨୦୦ମିଟର୍‍ରୁ ୩୫୦ ମିଟର୍ ପର୍ଯ୍ୟନ୍ତ ହେବ ।

ତାଡୋବାର ଏକ କୁହୁଡ଼ିଆ ସକାଳରେ ସମ୍ବର ହରିଣଟିଏ ବୁଲୁଛି

ଅଭୟାରଣ୍ୟର ଦକ୍ଷିଣ-ପଶ୍ଚିମ ଦିଗରେ ୧୨୦ ହେକ୍ଟର୍ (୩୦୦ ଏକର୍) କ୍ଷେତ୍ରଫଳ ବିଶିଷ୍ଟ ତାଡୋବା ହ୍ରଦ ଅବସ୍ଥିତ । ଏହି ହ୍ରଦଟି ତାଡୋବା ସଂରକ୍ଷିତ ଅରଣ୍ୟ ଓ କୃଷିକ୍ଷେତ୍ରଙ୍କ ମଧ୍ୟରେ ଏକ ବିଭାଜକ ପରି ରହିଛି । ତାଡୋବାର ଅପର ପାର୍ଶ୍ୱରେ ରହିଥିବା ଚାଷଜମିଗୁଡ଼ିକ ସୁଦୂର ଇରାଇ ବନ୍ଧ ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ହ୍ରଦରେ ବର୍ଷର ସବୁ ସମୟରେ ପାଣି ରହିଥାଏ ଓ ଏଥିରେ ଅନେକ ଗୋମୁହାଁ କୁମ୍ଭୀର (ମଗର) ବସବାସ କରନ୍ତି । ଅଭୟାରଣ୍ୟରେ ରହିଥିବା ଅନ୍ୟ ଏକ ମୁଖ୍ୟ ଜଳାଶୟ ହେଲା କୋଲସା ହ୍ରଦ । ଏତତ୍ ବ୍ୟତୀତ ଅଭୟାରଣ୍ୟ ମଧ୍ୟ ଦେଇ ଅନ୍ଧାରୀ ନଦୀ ମଧ୍ୟ ପ୍ରବାହିତ ।

ତାଡୋବା ଅଭୟାରଣ୍ୟ ସୀମା ମଧ୍ୟରେ ଚିମୁର୍ ପାହାଡ଼ ଓ ଅନ୍ଧାରୀ ଅଭୟାରଣ୍ୟ ସୀମା ମଧ୍ୟରେ ମୋହାର୍ଲି ଓ କୋଲସା ପାହାଡ଼ମାନ ଅବସ୍ଥିତ । ଉତ୍ତର ଓ ପଶ୍ଚିମ ସୀମାକୁ ଘେରି ରହିଥିବା ପାହାଡ଼ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ଉତ୍ତରରୁ ଦକ୍ଷିଣ ପଟର ଢାଲୁଆ ଜମିରେ ଜଙ୍ଗଲ କମିଯାଇ ତୃଣଭୂମି ଓ ସୁନ୍ଦର ଉପତ୍ୟକାର ପରିଣତ ହୋଇଛି । ପାହାଡ଼ର ଗୁମ୍ଫା, ଶୃଙ୍ଗ ଇତ୍ୟାଦିରେ ମଧ୍ୟ ଅନେକ ଜୀବ ବାସ କରନ୍ତି । ଅଭୟାରଣ୍ୟର ଦକ୍ଷିଣ ପଟର ଭୂମି ସେତେଟା ପାହାଡ଼ିଆ ନୁହେଁ । ତାଡୋବା ଓ ଅନ୍ଧାରୀ ଦୁଇଟି ଆୟତାକାର ଙ୍ଗଲ ପରି । ନିକଟ ଅତୀତରେ ଅମୋଲ୍ ବେସ୍ ତାଡୋବା ଅନ୍ଧାରୀରେ ଉତ୍ତୋଳନ କରିଥିବା ଏକ ଫଟୋଚିତ୍ର ଜୁଲାଇ ୨୯ (ବିଶ୍ୱ ବ୍ୟାଘ୍ର ଦିବସ)ରେ ପ୍ରକାଶିତ ଏକ ଡାକ ଟିକଟରେ ସ୍ଥାନ ପାଇଥିଲା ।

ବିପଦ[ସମ୍ପାଦନା]

ତାଡୋବା ଅନ୍ଧାରୀ ଅଭୟାରଣ୍ୟ ମଧ୍ୟରେ ଓ ଏହାର ପରିସୀମାକୁ ଲାଗି ପ୍ରାୟ ୫୯ଟି ଛୋଟବଡ଼ ଗାଁ ରହିଛି ଯେଉଁଥିରେ ୪୧୬୪୪ ଲୋକ ବସବାସ କରନ୍ତି । ତନ୍ମଧ୍ୟରୁ ୫ଟି ଗ୍ରାମ କୋର୍ ଅଞ୍ଚଳ ମଧ୍ୟରେ ରହିଛି ଓ ଏହି ଗ୍ରାମବାସୀମାନେ କୋର୍ ଅଞ୍ଚଳ ମଧ୍ୟରେ କୃଷିକାର୍ଯ୍ୟ କରୁଛନ୍ତି । ବହୁ ସମୟ ଧରି ପ୍ରଶାସନିକ ଅଧିକାରୀମାନେ ଏମାନଙ୍କ ସ୍ଥାନାନ୍ତରଣ ଓ ଥଇଥାନ କାର୍ଯ୍ୟ ଚଳାଇଥିଲେ ହେଁ ଏହା ଅତି ମନ୍ଥର ଗତିରେ ଚାଲିଛି । ନିକଟ ଅତୀତରେ ନଭେଗାଓଁ ଗ୍ରାମର ଲୋକଙ୍କ ଥଇଥାନ କରାଯାଇଥିଲା ଯେପରିକି ପରିତ୍ୟକ୍ତ ଗ୍ରାମଦ୍ୱାରା ଅଧିକୃତ ଅଞ୍ଚଳରେ ଏକ ତୃଣଭୂମି ସୃଷ୍ଟି ହୋଇପାରିବ । ଅଭୟାରଣ୍ୟର କୋର୍ ଓ ଅଣ-କୋର୍ ଅଞ୍ଚଳରେ ପ୍ରାୟ ୪୧୮୨୦ ଗୋରୁଗାଈ ଚରାତରି କରନ୍ତି । କୋର୍ ଅଞ୍ଚଳରେ ଗୋରୁଗାଈ ଚରାଇବା ପାଇଁ ନିଷେଧାଦେଶ ଓ ଅଣ-କୋର୍ ଅଞ୍ଚଳରେ ନିୟନ୍ତ୍ରିତ ତରାତରି ପାଇଁ ଅନୁମତି ରହିଛି । ତେବେ ସୀମାବର୍ତ୍ତୀ ଗାଁର ଗାଈଗୋରୁ କୋର୍ ଅଞ୍ଚଳ ଭିତରକୁ ପଶିଆସନ୍ତି ଓ ତୃଣଭୂମି ଚରିଯିବା ସହିତ ବନ୍ୟଜୀବଙ୍କ ଅଧିବାସକୁ କ୍ଷତି ପହଞ୍ଚାନ୍ତି ।

ଶୁଷ୍କ ଋତୁରେ ବଣନିଆଁ ଲାଗି ଜାତୀୟ ଉଦ୍ୟାନର ୨%-୧୬% ଅଂଶ ପ୍ରତିବର୍ଷ ନଷ୍ଟ ହୋଇଯାଏ । ଅଧିବାସ ସଂକୁଚିତ ହେଉଥିବାରୁ ବଣରେ ଥିବା ମହାବଳ ବାଘକଲରାପତରିଆ ବାଘମାନେ ଗାଁ ଆଖାପାଖି ଅଞ୍ଚଳରେ ଗୋରୁଗାଈଙ୍କ ଶିକାର କରନ୍ତି । ଏହା ସ୍ଥାନୀୟ ଗରୀବ ଲୋକଙ୍କ ଅର୍ଥନୈତିକ ଅବସ୍ଥା ଆହୁରି ଖରାପ କରିଦିଏ । ଫଳରେ ବଣର ହିଂସ୍ରଜନ୍ତୁ ଓ ପ୍ରଶାସନର ପଦକ୍ଷେପ ପ୍ରତି ସେମାନେ ଅଧିକ ଅସହିଷ୍ଣୁ ହୋଇଉଠନ୍ତି । ୨୦୧୩ ମସିହାରେ ମହାବଳ ବାଘ, କଲରାପତରିଆ ବାଘ ଓ ଭାଲୁମାନଙ୍କ ଆକ୍ରମଣରେ ୪ ଜଣ ମନୁଷ୍ୟ ଓ ୩୦-୫୦ଟି ଗୋରୁ ପ୍ରାଣ ହରାଇଥିଲେ ।

ତାଡୋବାର ବନରାଜି[ସମ୍ପାଦନା]

ତାଡୋବା ଅଭୟାରଣ୍ୟ ମୁଖ୍ୟତଃ କେନ୍ଦ୍ରୀୟ ଡେକାନ୍ ମାଳଭୂମିର ଅଂଶ ଓ ଏହାର ଅରଣ୍ୟ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଶ୍ରେଣୀର । ସଂରକ୍ଷିତ ଅଞ୍ଚଳର ୮୭% ଘଞ୍ଚ ଜଙ୍ଗଲ । ଶାଗୁଆନ ଏଠାକାର ମୁଖ୍ୟ ଗଛ । ଏହି ଜଙ୍ଗଲରେ ଦେଖାଯାଉଥିବା ପର୍ଣ୍ଣମୋଚୀ ଓ ଅନ୍ୟାନ୍ୟ ସାଧାରଣ ପ୍ରଜାତିର ଗଛଗୁଡ଼ିକ ହେଲା ସହାଜୁ (Terminalia elliptica), ବନ୍ଧୁକବୃକ୍ଷ (Pterocarpus marsupium), ଧାବଡ଼ା (Anogeissus latifolia), ଶାଳଇ (Boswellia serrata), ଶିମିଳି/ଶିମୁଳି (Bombax ceiba), ଅସନ ଗଛ (Pterocarpus marsupium), କେନ୍ଦୁ (Diospyros melanoxylon), ବାହାଡ଼ା (Terminalia belerica), ହରିଡ଼ା (Terminalia chebula), ଗୁଡ଼ାଳ (Sterculia urens), ମହୁଲି (Lagerstroemia ବା crepe myrtle) ଓ ଇନ୍ଦ୍ରମୟୀ (Lannea coromandelica) ।

ଏଠାରେ ଧାବଡ଼ା ଗଛ (Anogeissus latifolia) ଏକ ଅଗ୍ନି ପ୍ରତିରୋଧକ ଗଛ । ଏହି ବଣର ପଳାଶ ଫୁଲ (Butea monosperma - ବଣନିଆଁ ଫୁଲ) ଜଙ୍ଗଲର ଶୋଭା ବହୁଗୁଣ ବୃଦ୍ଧି କରିଥାଏ । ହ୍ରଦ କୂଳରେ ବହୁ ସଂଖ୍ୟାରେ ଜାମୁକୋଳି ଗଛ (Syzygium cumini) ମଧ୍ୟ ଦେଖିବାକୁ ମିଳେ । ପଞ୍ଚଧାରା ନିକଟସ୍ଥ ଜଳାଶୟ ନିକଟରେ ବଡ଼ ବଡ଼ ଅର୍ଜୁନ (Terminalia arjuna) ଗଛମାନ ରହିଛି ।

ସାରା ଅଭୟାରଣ୍ୟରେ ସ୍ଥାନେ ସ୍ଥାନେ ତୃଣଭୂମି ରହିଛି । ଅଭୟାରଣ୍ୟର ଅନେକ ସ୍ଥାନରେ ଘଞ୍ଚ ବାଉଁଶ (Dendrocalamus strictus) ବୁଦା ମଧ୍ୟ ଦେଖିବାକୁ ମିଳେ । ପାର୍କିନ୍‌ସନ୍ ରୋଗର ନିରାକରଣ ପାଇଁ ବ୍ୟବହୃତ ବାଇଡଙ୍କ (Mucuna pruriens) ପରି ଔଷଧୀୟ ବୃକ୍ଷ ମଧ୍ୟ ଏହି ବଣରେ ଦେଖିବାକୁ ମିଳେ । ଭେରୁ ଗଛର (Chloroxylon swietenia) ପତ୍ର କୀଟ ନିବାରକ ରୂପେ ଓ ଅସନ ଗଛ ଔଷଧରେ ବ୍ୟବହୃତ ହୁଏ । ବାହାଡ଼ା ମଧ୍ୟ ଏଠାରେ ମିଳୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ବୃକ୍ଷ ।[୧]

ପଶୁପକ୍ଷୀ[ସମ୍ପାଦନା]

ତାଡୋବା ଅନ୍ଧାରୀ ଜାତୀୟ ଉଦ୍ୟାନ ମଧ୍ୟରେ ମହାବଳ ବାଘ ବ୍ୟତୀତ ଅନେକ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାନ୍ତି । ଏମାନେ ହେଲେ କଲରାପତରିଆ ବାଘ, ଭାଲୁ, ବନ୍ୟ ଗୟଳ, ନୀଳଗାଈ, ବଳିଆ କୁକୁର, ହେଟା ବାଘ, କଟାସ, ବଣଭୁଆ, ସମ୍ବର ହରିଣ, କୁଟୁରା, ଚିତଲ୍ ହରିଣ, ଚଉଶିଂଘାଗାଡ଼ଭାଲୁ । ତାଡୋବା ହ୍ରଦରେ ଅନେକ କୁମ୍ଭୀର ମଧ୍ୟ ବାସ କରନ୍ତି । ଏକଦା ଏହି କୁମ୍ଭୀର ସମଗ୍ର ମହାରାଷ୍ଟ୍ରରେ ଦେଖାଯାଉଥିଲେ । ଅଜଗର ସାପ, ଗୋଧି, କଇଁଛ, ନାଗ ସାପ, ବୋଡ଼ା ସାପ ପରି ସରୀସୃପ ଜାତୀୟ ପ୍ରାଣୀ ମଧ୍ୟ ତାଡୋବା ଅନ୍ଧାରୀ ଜଙ୍ଗଲରେ ଦେଖାଯାନ୍ତି ।

ତାଡୋବା ହ୍ରଦ ବିହଙ୍ଗପ୍ରେମୀଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ । ବିଭିନ୍ନ ପ୍ରଜାତିର ଜଳପକ୍ଷୀ ଓ ଚିଲ ହ୍ରଦ ନିକଟରେ ଦେଖାଯାନ୍ତି । ଏଠାରେ ପ୍ରାୟ ୧୯୫ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି । ସେଥିରୁ ୩ଟି ପ୍ରଜାତି ଲୁପ୍ତପ୍ରାୟ ଶ୍ରେଣୀରେ ଗଣା । ପାଉଁଶିଆ ମୁହଁ ମାଛଖିଆ ଚିଲ, ସାପଖିଆ ଚିଲ ଓ କ୍ରେଷ୍ଟେଡ୍ ହକ୍-ଇଗଲ୍ ଏଠାରେ ଦେଖାଯାଉଥିବା ପ୍ରମୁଖ ଶିକାରୀ ପକ୍ଷୀ । ମୟୂରମାନଙ୍କ ଡାକ ସବୁବେଳେ ଶୁଣିବାକୁ ମିଳେ । ନବରଙ୍ଗ, ବଟବଟିଆ, କାଠହଣା, ରାଜା ବୁଲ୍‍ବୁଲ୍, ନୀଳ ବୁଲ୍‍ବୁଲ୍ ଆଦି ଚଢ଼େଇ ମଧ୍ୟ ଦେଖିହେବ ।

ଏହି ଜଙ୍ଗଲରେ ୭୪ ପ୍ରଜାତିର ପ୍ରଜାପତି ମଧ୍ୟ ଦେଖିବାକୁ ମିଳେ । ଜୁନୋନିଆ, ସମ୍ରାଟ ପ୍ରଜାପତି, ପାପିଲିଓ ଗ୍ରେଫିୟମ୍ ଇତ୍ୟାଦି ପ୍ରଜାତି ଏମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଜଙ୍ଗଲରେ ବିଭିନ୍ନ ବିରଳ ପ୍ରଜାତିର କୀଟପତଙ୍ଗ ଓ ବୁଢ଼ିଆଣୀ ମଧ୍ୟ ଦେଖାଯାନ୍ତି । [୪]

ପର୍ଯ୍ୟଟକଙ୍କ ପାଇଁ ସଫାରୀ[ସମ୍ପାଦନା]

ଜଙ୍ଗଲ ସଫାରୀ ଯାତ୍ରା ତାଡୋବା ଜାତୀୟ ଉଦ୍ୟାନର ମୁଖ୍ୟ ଆକର୍ଷଣ । ଉପର ଖୋଲା ଜିପ୍‍ସି ଗାଡ଼ି, ବସ୍ ଇତ୍ୟାଦିରେ ସ୍ଥାନୀୟ ଓ ପ୍ରଶିକ୍ଷିତ ଜଙ୍ଗଲ ଗାଇଡ୍‍ମାନେ ପର୍ଯ୍ୟଟକଙ୍କୁ ସଫାରୀ ସମୟରେ ଏଠାକାର ପଶୁପକ୍ଷୀ ଓ ଉଦ୍ଭିଦ ଜଗତଙ୍କ ବିଷୟରେ ଅବଗତ କରାନ୍ତି । [୫]

ଗମନାଗମନ ପଥ[ସମ୍ପାଦନା]

ଅଭୟାରଣ୍ୟରୁ ନିକଟତମ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ନାଗପୁରର ଡା. ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦର । ଏଠାରୁ ଉମ୍ରେର୍, ଭିସି ଓ ଚିର୍ମୁର୍ ଦେଇ ଅଭୟାରଣ୍ୟର ଦୂରତା ପ୍ରାୟ ୧୪୦ କିଲୋମିଟର୍ ।

ଦିଲ୍ଲୀ-ଚେନ୍ନାଇ ମୁଖ୍ୟ ରେଳପଥ ଉପରେ ଅବସ୍ଥିତ ଚନ୍ଦ୍ରପୁର ହେଲା ଅଭୟାରଣ୍ୟରୁ ନିକଟତମ ରେଳ ଷ୍ଟେସନ୍ । ଅଭୟାରଣ୍ୟରୁ ଏହି ରେଳ ଷ୍ଟେସନ୍‍ର ଦୂରତା ପ୍ରାୟ ୪୫ କି.ମି. ।

ଏହାଛଡ଼ା ପ୍ରାୟ ୩୨ କି.ମି. ଦୂରରେ ଥିବା ଚନ୍ଦ୍ରପୁର ଓ ଚିର୍ମୁର୍ ବସ୍ ଷ୍ଟାଣ୍ଡ ନିକଟତମ ସ୍ଥଳ ପରିବହନ ମାଧ୍ୟମ ।

ରହିବା ବ୍ୟବସ୍ଥା[ସମ୍ପାଦନା]

ଇରାଇ ସଫାରୀ ରିଟ୍ରିଟ୍ ଏଠାକାର ଏକ ବିଳାଶପୂର୍ଣ୍ଣ ପଞ୍ଚ-ତାରକା ରିସୋର୍ଟ୍ । ଯାତ୍ରା ସମ୍ବନ୍ଧୀୟ ଟ୍ରିପ୍ ଏଡ୍‍ଭାଇଜର୍ ୱେବ୍‍ସାଇଟ୍‍ରେ ଏହି ରିସୋର୍ଟ୍ ବହୁ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହୋଇପାରିଥିଲା । ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ (Maharashtra Tourism Development Corporation-MTDC) ତାଡୋବା ନିକଟରେ ରହିବାପାଇଁ ବାସସ୍ଥଳୀର ଆୟୋଜନ କରେ ।[୬]

ପର୍ଯ୍ୟଟକମାନେ ଯାତ୍ରା ପାଇଁ ଟିକଟ ରିଜର୍ଭ୍ କରିବାକୁ ମୁମ୍ବାଇନାଗପୁରସ୍ଥିତ ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ କିମ୍ବା ଚନ୍ଦ୍ରପୁର ସଂରକ୍ଷିତ ଜଙ୍ଗଲର ଉପ-ସଂରକ୍ଷକଙ୍କୁ[୭] ଯୋଗାଯୋଗ କରି ଟିକଟ ପ୍ରାପ୍ତ କରିପାରିବେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Tadoba-andhari Tiger Reserve", Reserve Guide - Project Tiger Reserves In India, National Tiger Conservation Authority, archived from the original on 2004-05-27, retrieved 2012-02-29
  2. ୨.୦ ୨.୧ Tadoba-Andhari Tiger Reserve-History, Sanctuary Asia, archived from the original on 2019-08-14, retrieved 2012-02-29
  3. Mazhar, Ali (2016-08-11). "Problem of plenty hits Tadoba tiger conservation work". Times of India. Retrieved 2016-09-05.
  4. Tadoba-Andhari Tiger Reserve-Wildlife, Sanctuary Asia, archived from the original on 2019-08-14, retrieved 2012-02-29
  5. Mhatre, Shridhar. "Amazing Maharashtra: TADOBA NATIONAL PARK". Amazing Maharashtra.
  6. "Tadoba National park". www.tigersheavenresort.co.in. Archived from the original on 2018-03-19. Retrieved 2018-03-16.
  7. "Archived copy". Archived from the original on 2014-01-16. Retrieved 2014-01-15.{{cite web}}: CS1 maint: archived copy as title (link)

Tourism Gates of Tadoba Andhari Tiger Reserve Archived 2018-03-23 at the Wayback Machine.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]