ଜନଜାତି ସଂଗ୍ରହାଳୟ

ଉଇକିପିଡ଼ିଆ ରୁ
ଜନଜାତି ସଂଗ୍ରହାଳୟ
Tribal museum Bhubaneswar.jpg
ଜନଜାତି ସଂଗ୍ରହାଳୟ ମୂଖ୍ୟ ଫାଟକ
ଅବସ୍ଥିତି ସି.ଆର୍.ପି.ଏଫ୍. ଛକ, ଭୁବନେଶ୍ଵର, ଭାରତ
ମାଲିକ ଓଡ଼ିଶା ସରକାର

ଜନଜାତି ସଂଗ୍ରହାଳୟ ,ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ, ତାଙ୍କର ସମସ୍ତ କା!!!!!ର୍ଯ୍ୟକଳାପ, ବୃତ୍ତି, ସଂସ୍କୃତି, ପରମ୍ପରା ଓ କଳାକୁ ଲୋକାଲୋଚନକୁ ଆଣିବା ପାଇଁ ସରକାର ଏକ ଅଭିନବ ପ୍ରୟାସ କରାଇଛନ୍ତି । ସରକାରଙ୍କ ଦ୍ବାରା ୧୯୫୩ ମସିହାରେ ଭୁବନେଶ୍ଵରର ସି.ଆର୍.ପି.ଏଫ୍. ନିକଟରେ ଏକ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି । ଏହା ଭୁବନେଶ୍ଵରର କଳ୍ପନା ଛକ ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଥିଲା । ଏହି ଜନଜାତି ସଂଗ୍ରହାଳୟ ସଂସ୍ଥାନଟି ସମଗ୍ର ଦେଶରେ ଏକ ଭିନ୍ନ ସଂସ୍ଥାନ ଅଟେ । ଓଡ଼ିଶାରେ ମୋଟ ୬୨ଟି ଜନଜାତି ସମାଜ ଅଛନ୍ତି, କିନ୍ତି ଏଠାରେ ୪୪ଟି ଜନଜାତି ସମାଜ ଉପରେ ତଥ୍ୟ ସଂଗ୍ରହ କରାଯାଇଛି । ଯେପରିକି ସାନ୍ତାଳ, କୁଟିଆ କନ୍ଧ, ବଣ୍ଡା, ଲାଞ୍ଜିଆ ସଉରା, ଗଣ୍ଡ, ସଉରା, ଗଡବା, ଡଙ୍ଗରିଆ କନ୍ଧ, ଜୁଆଙ୍ଗ, ଭୂୟାଁ, ଖଇରିଆ, ଲୋଧା ଇତ୍ୟାଦି । ଏଠାରେ ପ୍ରାଚୀନ ଜନଜାତି ସଂଗ୍ରହାଳୟ ନାମରେ ଏକ ଘର ଅଛି, ଯେଉଁଠାରେ ସେମାନଙ୍କର ଦୁନିଆ ବିଷୟରେ ଜାଣିବା ପାଇଁ ଜୀବନ୍ତଚିତ୍ର ପ୍ରଦର୍ଶିତ କରାଯାଇଛି । ଏଠାରେ ପ୍ରଦର୍ଶିତ ଆଦିବାସୀଙ୍କ ଆକର୍ଷଣୀୟ ଚିତ୍ରକଳା, ହସ୍ତତନ୍ତ୍ର, ସଂସ୍କୃତି ଓ ପରମ୍ପରା ପାଇଁ ଏହା ଆର୍ନ୍ତଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ଏବଂ ବିଦେଶୀ ପର୍ଯ୍ୟଚକ ଓ ଦର୍ଶକ ମାନଙ୍କୁ ମଧ୍ୟ ଆକୃଷ୍ଟ କରାିପାରିଛି ।[୧]

ଏହି ସଂଗ୍ରହାଳୟରେ ୫ଟି ଗ୍ୟାଲେରୀ ବା ପ୍ରକୋଷ୍ଠ ରହିଛି । ପ୍ରଥମ ପ୍ରକୋଷ୍ଠରେ ଆଦିବାସୀଙ୍କର ଅଳଙ୍କାରମାନ ରହିଅଛି । ଯେପରିକି ରୂପା ଅଳଙ୍କାର, ସାନ୍ତାଳଙ୍କ ଶଙ୍ଖଚୁଡି,୨୩ ପ୍ରକାରର ମୁଦ୍ରା ମିର୍ମିତ ହାର, ୨୭ ପ୍ରକାରର ପାଉଁଜି, ପ୍ଲାଷ୍ଟିକରେ ନିର୍ମିତ ଅଳଙ୍କାର ଏବଂ ସେମାନଙ୍କ ପାରମ୍ପରିକ ଅଳଙ୍କାରମାନ ରହିଅଛି । ୨ୟ ପ୍ରକୋଷ୍ଠରେ ସେମାନଙ୍ର ବିଭିନ୍ନ ପ୍ରକାରର ଚିତ୍ରକଳା ଓ ଫଟୋଗ୍ରାଫି ରହିଅଛି । ଏଠାରେ ଡଙ୍ଗରିଆ କନ୍ଧ, ଭୂୟାଁ, ସଉରା, କୁଟିଆ କନ୍ଧ, ଗଣ୍ଡ ଜାତି ମାନଙ୍କର ମାଦକ ଦ୍ରବ୍ୟ ସେବନ କରୁଥିବା ପାତ୍ରର ଫଟୋରହିଛି । ସାନ୍ତାଳ, କୋଲ୍ହ, ଜୁଆଙ୍ଗ ଓ ଲାଞ୍ଜିଆ ସଉରା ମାନେ କାନ୍ଥରେ କରୁଥିବା ଚିତ୍ରକଳା, ସେମାନେ ବ୍ୟବହାର କରୁଥିବା ପାନିଆ ଏବଂ ମାଲକାନାଗିରି ମୁଦୁଲିପଡା ବଣ୍ଡା ପାହାଡରେ ରହୁଥିବା ବଣ୍ଡା ସଂପ୍ରଦାୟ ଓ କେନ୍ଦୁଝରଗଡ ଗୋନାସିକା ପାହାଡରେ ରହୁଥିବା ଜୁଆଙ୍ଗ ସଂପ୍ରଦାୟ ଲୋକମାନଙ୍କର ଫଟୋମାନ ଅଛି । ସେହିପରି ୩ୟ ପ୍ରକୋଷ୍ଠରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ସାମଗ୍ରୀ ରହିଛି । ଯେଉଁଠାରେ ୧୮ ପ୍ରକାରର କୁରାଢୀ, ୧୩ ପ୍ରକାରର ବର୍ଚ୍ଛା, ୩୦ ପ୍ରକାରର ଧନୁ ଓ ଶର, ୧୦ ପ୍ରକାରର ଖଣ୍ଡା, ୩୫ ପ୍ରକାରର ଛୁରୀ, ୬୩ ପ୍ରକାରର ମାଛଧରା ଜାଲ, ପଶୁପକ୍ଷୀ ଧରିବା ଯନ୍ତା ଏବଂ ବନ୍ଧୁକ ରହିଛି । ସେହିପରି ୪ର୍ଥ ପ୍ରକୋଷ୍ଠରେ ସୋମାନଙ୍କ ବ୍ୟବହାର କରୁଥିବା ଘରୋଇ ଉପକରଣମାନ ରହିଅଛି । ଏ ୫ମ ପ୍ରକୋଷ୍ଠରେ ୭୫ରୁ ଉର୍ଦ୍ଧ୍ବ ପ୍ରକାରର ନାଚ ଗୀତର ଉପକରଣମାନ ରହିଛି ।

ଆଧାର[ସମ୍ପାଦନା]

  1. "Scheduled Castes & Schedule Tribes Research & Training Institute, Bhubaneswar". ST, SC, Minorities, and Backward Classes Welfare Department, Government of Odisha. http://www.orissa.gov.in/stsc/research_training.htm. Retrieved 21 February 2013.