ଚାନ୍ଦିପୁର(ଇଂରାଜୀ: Chandipur) ବା ଚାନ୍ଦିପୁର ବେଳାଭୂମି ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ଏକ ବେଳାଭୂମି । ଏହା ବଙ୍ଗୋପସାଗର ନିକଟରେ ଓ ବାଲେଶ୍ଵର ସହର ଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ଵରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ ଅଶ୍ଵଖୁରାକୃତି କଙ୍କଡା ବା ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ । ନିକଟରେ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ି ଠାରେ ଏକ ମାଛଧରା ବନ୍ଦର ଅଛି ।
ଚାନ୍ଦିପୁର ଠାରେ ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।
ଚାନ୍ଦିପୁର 21°28′N 87°01′E / 21.47°N 87.02°E / 21.47; 87.02 ଠାରେ ଅବସ୍ଥିତ ।[୧] ଏହାର ହାରାହାରି ଉଚ୍ଚତା ୩ ମିଟର (୧୦ ଫୁଟ) ।
ଚାନ୍ଦିପୁର ବେଳାଭୂମି ଠାରେ ଭାରତୀୟ ପଦାତିକ ସେନାର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ (ଆଇ ଟି ଆର) ଅଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀ ଓ ବ୍ରହ୍ମୋସ ଆଦି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି ।
ଚାନ୍ଦିପୁରକୁ ବାଲେଶ୍ଵରରୁ ସଡ଼କ ପଥରେ ଯାଇହେବ । ବାଲେଶ୍ଵର ସଡ଼କ ପଥରେ ୫ ନମ୍ବର ଜାତୀୟ ରାଜପଥ ଓ ରେଳପଥ ଦ୍ଵାରା ଭୁବନେଶ୍ଵର ଓ କଲିକତା ସହ ସଂଯୁକ୍ତ ।