ଚାନ୍ଦବାଲି

ଉଇକିପିଡ଼ିଆ ରୁ
ଚାନ୍ଦବାଲି
—  ସହର  —
ଚାନ୍ଦବାଲି is located in ଓଡ଼ିଶା
ଚାନ୍ଦବାଲି
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°46′43.63″N 86°44′39.81″E / 20.7787861°N 86.7443917°E / 20.7787861; 86.7443917ଦିଗବାରେଣି: 20°46′43.63″N 86°44′39.81″E / 20.7787861°N 86.7443917°E / 20.7787861; 86.7443917
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଭଦ୍ରକ
ପଞ୍ଚାୟତ ସମିତି ଚାନ୍ଦବାଲି
ଭାଷା ଓଡ଼ିଆ, ଇଂରାଜୀ
ସମୟ ମଣ୍ଡଳ IST (+୫.୩୦)
 ହାରାହାରି ତାପମାତ୍ରା ୨୭ °C ( °F)
   • ଖରାଦିନ ୪୩.୧ °C (. °F)
   • ଶୀତଦିନ ୧୦.୬ °C (. °F)
ଡାକ କୋଡ଼ xxxxx[୧]
ଜାଗା କୋଡ଼ +୦୬xxx
ଗାଡ଼ି କୋଡ଼ OR/xx

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପୁଣ୍ୟତୋୟା ବୈତରଣୀ ଓ ଚାନ୍ଦବାଲି-ରାଜକନିକାକୁ ସଂଯୋଗକାରୀ ସେତୁ

ଚିରସ୍ରୋତା ବୈତରଣୀ କୂଳରେ ୨୦.୪୭ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୭.୪୪ ଡିଗ୍ରୀ ଦକ୍ଷିଣ ଦ୍ରାଘିମାରେ ଅବସ୍ଥିତ ଏକ ସହର ଓ ପଞ୍ଚାୟତ ସମିତି। ଏହାକୁ ବୈତରଣୀର ଦାନ କୁହାଯାଏ ।

ଅବିଭକ୍ତ କଟକ ଓ ଏବେକାର କେନ୍ଦ୍ରାପଡ଼ା ଜିଲ୍ଲାର ସୀମାନ୍ତରେ ଅବିଭକ୍ତ ବାଲେଶ୍ଵର ଜିଲ୍ଲା ଓ ଏବେକାର ଭଦ୍ରକ ଜିଲ୍ଲାର ଉପାନ୍ତରେ ଏହି ସହର ଅବସ୍ଥିତ । ଏହା ଓଡ଼ିଶାର ଏକମାତ୍ର ବାଣିଜ୍ୟ ପ୍ରଧାନ ବନ୍ଦର । ଏଠାକୁ କଲିକତାରୁ ଛୋଟ ଛୋଟ ଜାହାଜ ଆସୁଥିଲା ଓ ଏଠାରୁ ଷ୍ଟିମର ଯୋଗେ କଟକ ଯାଇ ହେଉଥିଲା । ରେଳପଥ ନିର୍ମାଣ ହେବା ଆଗରୁ କଟକରୁ କଲିକତା ଯିବା ଯାତ୍ରୀମାନେ କଟକରୁ ଚାନ୍ଦବାଲି ଷ୍ଟିମରରେ ଯାଉଥିଲେ ଓ ସେଠାରୁ କଲିକତା ଜାହାଜରେ ଯାଉଥିଲେ। ପରବର୍ତ୍ତୀ କାଳରେ ଏହା କେବଳ ପଣ୍ୟବାହୀ ଜାହାଜର ବନ୍ଦର ହିସାବରେ ରହିଯାଇଥିଲା । [୨]

୧୦୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ କନିକା-ପାଞ୍ଚମୁକାସ୍ଥ ନରେନ୍ଦ୍ରପୁର ଗ୍ରାମର ସୌଦାଗର ଧନେଶ୍ୱର ନରେନ୍ଦ୍ରଙ୍କ ପ୍ରିୟତମା ଚନ୍ଦ୍ରାବତୀଙ୍କ ନାମାନୁସାରେ ଏହି ସହରର ନାମକରଣ ହୋଇଛି ବୋଲି କୁହାଯାଏ। ଚାନ୍ଦବାଲି ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରଗତିଶୀଳ ଗାଁ ଗୁଡ଼ିକ ହେଲେ ବାଲିଗାଁ, ପାଞ୍ଚପଡା, ଓସ୍ତିଆ, ପଣସ ପଡ଼ା ଆଦି ।

ଯୋଗାଯୋଗ[ସମ୍ପାଦନା]

ବୈତରଣୀ ନଦୀରେ ଭାସମାନ ସୁସଜ୍ଜିତ ଲଞ୍ଚ

ଚାନ୍ଦବାଲିକୁ ଏବେଯାଏଁ ରେଳ ଯୋଗାଯୋଗ ହୋଇପାରି ନାହିଁ। ତେବେ ସଡ଼କ ପଥରେ ଏହା ତିହିଡ଼ି ଦେଇ ଭଦ୍ରକ ପର୍ଯ୍ୟନ୍ତ, ଓ ରାଜ କନିକା, କେନ୍ଦ୍ରାପଡ଼ା ଦେଇ କଟକ ପର୍ଯ୍ୟନ୍ତ ସଯୁକ୍ତ। ଜଳପଥରେ ଚାନ୍ଦବାଲିରୁ ଆରଡ଼ି, ଧାମରା, ଡାଙ୍ଗମାଳର କୁମ୍ଭୀର ପ୍ରକଳ୍ପକୁ ଯାତ୍ରା କରିହୁଏ।

ନିକଟବର୍ତ୍ତୀ ସ୍ଥାନ:[ସମ୍ପାଦନା]

ନିକଟସ୍ଥ ସଦେଇ ବାଆଜୀ ମଠ ଏକ ରମଣୀୟ ସ୍ଥାନ। ସଦାନନ୍ଦ ପଣ୍ଡା ଓରଫ ସଦେଇ ବାଆଜୀ ଜଣେ ଅବଧୂତ ସନ୍ନ୍ୟାସୀ ଥିଲେ। ତାଙ୍କର ଅନେକ ଅଲୌକିକ ମହିମା ଲୋକମୁଖରେ ପ୍ରଚଳିତ ।

ବାଲିଗାଁ ଗ୍ରାମର ନାମକରଣ ଭକ୍ତ ବାଲିଗାଁ ଦାସ ବା ଦାସିଆ ବାଉରୀଙ୍କ ନାମ ଅନୁସାରେ ହୋଇଛି। ତେବେ ପୁରୀ ଜିଲ୍ଲାର ବାଲିଗାଁ ଦାସ ଓ ଚାନ୍ଦବାଲି ଅନ୍ତର୍ଗତ ବାଲିଗାଁର ବାଲିଗାଁ ଦାସ ସେଇ ଗୋଟିଏ ବ୍ୟକ୍ତି କି ନା ତାହା ଅନୁସନ୍ଧାନ ଯୋଗ୍ୟ। ଏବେ ବି ବାଲିଗାଁରେ ଦାସିଆ ବାଉରୀ ଆଶ୍ରମ ରହିଛି ଓ ସେଠାରେ ଦାସିଆ ବାଉରୀଙ୍କ ସମାଧି ରହିଛି ।

ବାଲିଗାଁର ନିକଟବର୍ତ୍ତୀ ସଦାନନ୍ଦ ଗୋଶାଳା, ରକ୍ଷଣାବେକ୍ଷଣ ଅଭାବରୁ ଯାହା ଏବେ ଭାଙ୍ଗିରୁଜି ଗଲାଣି, ଦିନେ ଚାନ୍ଦବାଲିର ଗୌରବ ଥିଲା। ଓଡ଼ିଶାର କେତେଗୋଟି ହାତଗଣତି ଗୋଶାଳା ଭିତରୁ ଏହା ଥିଲା ଅନ୍ୟତମ। ଏଠାରେ ଏବେ ବି ଗୋଷ୍ଠାଷ୍ଟମୀ ପର୍ବ ମହା ସମାରୋହରେ ପାଳିତ ହୁଏ। ନିକଟସ୍ଥ ପଡ଼ିଆରେ ରଟନ୍ତୀ କାଳୀ ପୂଜା ହୋଇଥାଏ। ଏହା ଛଡ଼ା ବଣ ବାସୁଳୀ, ସିଦ୍ଧ ବାସୁଳୀ, ଓ ଖରାଖିଆ ମହାଦେବ ଆଦି ଆଦି ଗ୍ରାମ ଦେବତା/ଦେବତୀ ମାନେ ଏଇ ବାଲିଗାଁ ଇଲାକାରେ ପୂଜା ପାଆନ୍ତି ।

ଗୌରବ[ସମ୍ପାଦନା]

ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ବ୍ୟବହାର କରାଯାଇଥିବା ତୋପ

ନିଦର୍ଶନଯୋଗ୍ୟ ସେବାଭାବ[ସମ୍ପାଦନା]

ଚାନ୍ଦବାଲିରୁ ବାଲିଗାଁ ଯାଏ ପାଖାପାଖି ଦୁଇ କିଲୋମିଟରର ପିଚୁରାସ୍ତାକୁ ଆଜି କଣ୍ଡରାବନ୍ଧ କୁହାଯାଏ। ଯେତେବେଳେ ଏଇ ରାସ୍ତା ନ ଥିଲା, ବାଲିଗାଁର ପଞ୍ଚୁ ମହାଳିକ ଓ ପାଟୁଳିର ବିଷ୍ଣୁ ମହାଳିକ ଓ ଫକିର ମୋହ ମହାଳିକ ବିଲରୁ ମାଟି ଆଣି ଅଥକ ପରିଶ୍ରମ କରି ଏଇ ବନ୍ଧର ନିଅଁ ପକେଇଥିଲେ ନିଜ ଚେଷ୍ଟାରେ ସ୍ୱତଃସ୍ଫୁର୍ତ୍ତ ଭାବରେ ।

ସାଂସ୍କୃତିକ ସହାବସ୍ଥାନ[ସମ୍ପାଦନା]

ହିନ୍ଦୁ ଓ ମୁସଲମାନ ସଂସ୍କୃତିର ମିଳନ ସ୍ୱରୂପ ବାଲିଗାଁର ଦରଗା ଏକ ପବିତ୍ର ସ୍ଥାନ। ଏଠାକୁ ଜାତି, ଧର୍ମ ନିର୍ବିଶେଷରେ ଲୋକମାନେ ନିଜ ନିଜର ପୂଜା କରିବାକୁ ଯାଇଥାନ୍ତି ଓ ମାନସିକ ରଖିଥାନ୍ତି। ଏଠାରେ ମନାସିଥିବା ପ୍ରତିଟି ମାନସିକ ପୂର୍ଣ୍ଣ ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି ।

ନିଃସ୍ୱାର୍ଥପର ସେବା[ସମ୍ପାଦନା]

ପାଞ୍ଚପଡ଼ାଗ୍ରାମସ୍ଥ ଅଭିରାମ ପରମହଂସ ଆଶ୍ରମ ଏକ ଲୋକପ୍ରିୟ ମନୋରମ ଆଶ୍ରମ। ଏହାର ପାର୍ଶ୍ୱରେ ଏକ ସୁନ୍ଦର ରାଧାକୃଷ୍ଣ ମନ୍ଦିର ମଧ୍ୟ ରହିଛି। ଆଶ୍ରମର ସଂସ୍ଥାପକ ଗୟାଧର ଦାସ ବାବାଜୀ ଜଣେ ସମାଜ ସେବୀ। ପିଲାମାନଙ୍କର ଶିକ୍ଷା ଠାରୁ ଆରମ୍ଭ କରି ଜଡ଼ିବୁଟି ଚିକିତ୍ସା ପର୍ଯ୍ୟନ୍ତ ଅନେକ ଲୋକହିତକର କାମ ସେ ସ୍ୱତଃସ୍ଫୂର୍ତ୍ତ ଭାବେ ହାତକୁ ନେଇ ଓ ସୁଚାରୁରୂପେ ସମ୍ପାଦନା କରି ପାରିଛନ୍ତି

ବନ୍ଦର[ସମ୍ପାଦନା]

ଆଗରୁ ଜାହାଜ ବାନ୍ଧିବାପାଇଁ ବ୍ୟବହାର କରାଯାଉଥିବା ଲଙ୍ଗର

୧୮୬୬ର ନଅଙ୍କ ଦୁର୍ଭିକ୍ଷ ସମୟରେ ବଙ୍ଗଳାରୁ ଓଡ଼ିଶାକୁ ଖାଦ୍ୟଦ୍ରବ୍ୟ ପଠାଇବାରେ ହେଉଥିବା ଅସୁବିଧାକୁ ଦେଖି ରେଭେନ୍ସା ସାହେବଙ୍କ ପ୍ରଚେଷ୍ଟାରେ ଓଡ଼ିଶା ବଙ୍ଗଳା ଜଳପଥ ସ୍ଥାପିତ ହେଲା ଓ ୧୮୭୦ ମସିହାରେ ଜାହାଜ ଚଳାଚଳ ଆରମ୍ଭ ହେଲା। ଧାମରା ମୁହାଣ ଓ ବୈତରଣୀ ନଦୀର ମାପଚୁପ ଠିକ୍ ହୋଇ ନ ଥିବାରୁ ପ୍ରଥମେ ପଣ୍ୟବାହି ଜାହାଜ ଗୁଡ଼ିକ ଚାନ୍ଦବାଲି ପର୍ଯ୍ୟନ୍ତ ଆସି ନ ପାରି ଧାମରା ମୁହାଣଠାରୁ ଆଠମାଇଲ ଦୂର ସର୍ଟଦ୍ୱୀପ ନିକଟରେ ରହିଲା। ସେଠାରୁ ଜିନିଷପତ୍ରକୁ ଉତାରି ଅନ୍ୟାନ୍ୟ ମାଧ୍ୟମରେ ଚାନ୍ଦବାଲିକୁ ଅଣାଯାଉଥିଲା। ପରେ ଏପରି ବ୍ୟୟ ସାପେକ୍ଷ ପରିବହନକୁ ଏଡ଼େଇବା ପାଇଁ କ୍ୟାପଟେନ୍ ମ୍ୟାକନିଲ୍ ଚାନ୍ଦବାଲିରେ ବନ୍ଦର ସ୍ଥାପନାପାଇଁ ନିଷ୍ପତ୍ତି ନେଲେ ।

୧୮୭୭ ମସିହାରେ ସର୍ବଶ୍ରୀ ଧୃବ ଚରଣ ପୁଆଳ, ବଳରାମ ସାମନ୍ତରାୟ, ପୁରନ୍ଦର ତରାଇ, ରାମଚନ୍ଦ୍ର ମହାପାତ୍ର, ହୁଲି ତରାଇ, ରାମ ରାଉତ ପ୍ରଭୃତି ବ୍ୟବସାୟୀମାନେ ଚାନ୍ଦବାଲି ସହ ବେପାର ବଣିଜ କରୁଥିଲେ।

୧୮୮୧ ମସିହା ମାର୍ଚ ୨୮ ତାରିଖରେ ଚାନ୍ଦବାଲିକୁ ବନ୍ଦର ଭାବେ ଘୋଷଣା କରାଗଲା। କ୍ୟାପଟେନ ମ୍ୟାକନିଲ୍ ତତ୍କାଳୀନ ଜମିଦାରଙ୍କଠାରୁ ବନ୍ଦର ସ୍ଥାପନାପାଇଁ ୧୭୬ ଏକର ଜମି ଆଣିଥିଲେ ଓ ସେଥିରୁ କିଛି ଜମି ସେ ଜାହାଜ କମ୍ପାନୀକୁ ଦେଇଥିଲେ, ଯାହାକୁ ଖାସ ମାହାଲ କୁହାଯାଏ ।

ସେତେବେଳେ ଯେଉଁ କେତୋଟି ଜାହାଜ ଚାଲୁଥିଲା, ସେ ଗୁଡ଼ିକର ନାମ ହେଲା – ନୀଳାମ୍ବୁ, ସାବିତ୍ରୀ, କଲ୍ୟାଣୀ, କଲୁ, ରାମରାଜା, ଧାମରା, ସୟଦ, ଚାନ୍ଦବାଲି ଓ ବୈତରଣୀ। ଜାହାଜରୁ ମାଲ ଉତାରିବା ଜାହାଜରେ ମାଲ ଲଦିବାପାଇଁ କମ୍ପାନୀ ମାନ୍ଦ୍ରାଜ ଓ ଆନ୍ଧ୍ରରୁ କୁଲି ମଗାଇଥିଲା। ଏହି କୁଲିମାନେ ନିଜ ରାଜ୍ୟକୁ ନ ଫେରି ଏଠାରେ ବସତି ସ୍ଥାପନ କରି ରହିଗଲେ। ଏ ଜାଗା ଏବେ ତେଲେଙ୍ଗାପଡା ନାମରେ ବିଦିତ। ଚାନ୍ଦବାଲି ବନ୍ଦର ଓ ଧାମରା ବନ୍ଦର ଓଡ଼ିଶାର ପ୍ରବେଶ ପଥ ହୋଇଥିବାରୁ ସେତେବେଳେ ଚାନ୍ଦବାଲିରେ ନଅ ଗୋଟି ଛୋଟବଡ଼ ଚାଉଳକଳ ଗଢିଉଠିଥିଲା। ଚାଉଳ ଉତ୍ପାଦନ ଓ ରପ୍ତାନୀରେ ଚାନ୍ଦବାଲି ଓଡ଼ିଶାରେ ନାଁ ପକାଇଥିଲା ।

ମହାତ୍ମାମାନଙ୍କ ଚରଣପୂତ ମାଟି[ସମ୍ପାଦନା]

ଭାରତ ତଥା ଓଡ଼ିଶାର ବହୁ ପୁଣ୍ୟାତ୍ମାମାନଙ୍କର ପାଦ ଚାନ୍ଦବାଲିରେ ପଡ଼ିଥିଲା, କାରଣ କଟକ, ପୁରୀ, କୋଣାର୍କକଲିକତା ଯିବା ଆସିବାପାଇଁ ଏହାହିଁ ଥିଲା ଏକମାତ୍ର ପଥ । ଏଇ ପୁଣ୍ୟାତ୍ମା ମାନଙ୍କ ମଧ୍ୟରୁ ମା ସାରଦା ଦେବୀ, କୁଳବୃଦ୍ଧ ମଧୁସୂଦନ ଦାସ, କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତି, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, ମହାରଣା କୁଳମଣି ଦାଶ, କର୍ମବୀର ଗୌରୀ ଶଙ୍କର ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ, ଜାନକୀନାଥ ବୋଷ ଇତ୍ୟାଦି ଅନ୍ୟତମ ।

ଅବକ୍ଷୟ[ସମ୍ପାଦନା]

୧୯୩୯ ମସିହା ଠାରୁ ୧୯୪୫ ମସିହା ପର୍ଯ୍ୟନ୍ତ ଦୀର୍ଘ ସାତବର୍ଷ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳୀନ ପରିସ୍ଥିତି ପାଇଁ ଚାନ୍ଦବାଲିକୁ ଆସୁଥିବା ଜାହାଜର ସଂଖ୍ୟା କ୍ରମେ କମି କମିଗଲା। ୧୯୪୩-୪୪ ରେ ଭଦ୍ରକରୁ ଚାନ୍ଦବାଲି ଯାଏ ପକ୍କା ସଡ଼କ ତିଆରି ହେବାଠାରୁ ଧାନ ଚାଉଳ ଜାହାଜରେ ନ ପଠାଇ ସଡ଼କ ପଥରେ ପଠାଇବାକୁ ସରକାର ସ୍ଥିର କଲେ। ବିଭିନ୍ନ ଆଳରେ ଚାନ୍ଦବାଲି ବନ୍ଦରକୁ ବନ୍ଦ କରି ଦିଆଗଲା। ଏଇ କୃଷିପ୍ରଧାନ ଚାନ୍ଦବାଲି ଏବେ ନାମକୁ ମାତ୍ର ବାଣିଜ୍ୟ ପେଣ୍ଠ ରୂପେ ପରିଗଣିତ ହେଉଛି। ସନ ୧୯୭୨ ମସିହାଠାରୁ ଚାନ୍ଦବାଲିର ଅବକ୍ଷୟ ଆରମ୍ଭ ହୋଇଛି, ଏଠାକାର ସବୁଯାକ ଚାଉଳକୁଟା କଳ ଭାଙ୍ଗିଗଲାଣି। ଏବେ ଯାଏଁ ତିଷ୍ଠି ରହିଥିବା ଗୋଟିଏ କଳ - ହନୁମାନ ରାଇସ୍ ମିଲ୍ ଏଇ ଗୌରବମୟ ଇତିହାସର ମୂକ ସାକ୍ଷୀ।

୧୯୬୭ ଠାରୁ ୧୯୮୨ ପର୍ଯ୍ୟନ୍ତ ନାନା ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ମରୁଡ଼ିକୁ ସାମନା କରି ଚାନ୍ଦବାଲିର ଅର୍ଥନୈତିକ ମେରୁଦଣ୍ଡ ଏବେ ଭାଙ୍ଗି ପଡ଼ିଛି। ବନ୍ଦରର ପୁରାତନ ସ୍ମୃତି ବହନ କରୁଥିବା ବିଶାଳ ଲଙ୍ଗର ଓ ସ୍ୱାଧୀନତା ସଂଗ୍ରାମ ସମୟରେ ଚାନ୍ଦବାଲିର ଜନ ଆନ୍ଦୋଳନ ଉପରେ ଗୋରା ଶାସକଙ୍କ ଅତ୍ୟାଚାରର ସ୍ମୃତି ବହନ କରୁଥିବା ତୋପ ଏବେବି ପଡ଼ିରହିଛି ଚାନ୍ଦବାଲିର ବୈତରଣୀ ନଈକୂଳସ୍ଥ ଆରଡ଼ି ଘାଟରେ ପାନ ଦୋକାନର ପଛରେ, ଅପନ୍ତରାରେ, ଅତି ଉପେକ୍ଷିତ ଭାବରେ। ଅନେକଥର ଏହାକୁ ଚୋରାରେ ଚାଲାଣ କରିବାର ଚେଷ୍ଟା ହୋଇଥିଲେ ମଧ୍ୟ ସ୍ଥାନୀୟ ବ୍ୟବସାୟୀମାନଙ୍କ ସଚେତନତା ପାଇଁ ଏହା ଅତି କମ୍ରେ ଚାନ୍ଦବାଲିରେ ଏବେ ଦେଖିବାକୁ ମିଳୁଛି।

ପର୍ଯ୍ୟଟନ[ସମ୍ପାଦନା]

ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ, ଜାତୀୟ କୁମ୍ଭୀର ଉଦ୍ୟାନ ଓ କୁମ୍ଭୀର ପ୍ରକଳ୍ପକୁ ଯିବାପାଇଁ ଚାନ୍ଦବାଲି ଦେଇ ଯିବାକୁ ହୋଇଥାଏ । ଏଠାରେ ବନ ବିଭାଗର ମନୋରମ ଡ଼ାକ ବଙ୍ଗଳା ରହିଛି । ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣୀକୁ ଏହିଠାରୁ ଯାଇହୁଏ ।

ପର୍ବପର୍ବାଣୀ[ସମ୍ପାଦନା]

କାଳୀପୂଜା, ଦୁର୍ଗାପୂଜା, ଆଖଣ୍ଡଳମଣୀ ଜାଗର ଯାତ୍ରା, ବାସନ୍ତୀକ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ଧାମରାର ମକର ମେଳା, ପାଟଣ ମଙ୍ଗଳା ଯାତ୍ରା, ସିଂହ ଶାରଳା ଯାତ୍ରା, ଦାସିଆ ବାଉରୀ ମେଳା, ମା ଜଡ଼ ନାଶିନୀ ପୂଜା, ଭୁତେଶ୍ୱର, ଚାନ୍ଦେଶ୍ୱର ଓ କାମେଶ୍ୱର ମହାଦେବ ଜାଗର ଯାତ୍ରା ଇତ୍ୟାଦି ।

ଧାର୍ମିକ ସ୍ଥାନ[ସମ୍ପାଦନା]

ଚାନ୍ଦବାଲି କାଳୀ ମନ୍ଦିରର ପ୍ରବେଶଦ୍ୱାର
  • ଚାନ୍ଦବାଲିର ପ୍ରସିଦ୍ଧ କାଳୀ ମନ୍ଦିର ଏଠାକାର ପ୍ରଧାନ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ।
  • ‘‘ପାଟଣମଙ୍ଗଳା’’ : ଧନେଶ୍ୱର ନରେନ୍ଦ୍ର ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣଓ, ବର୍ମା ପ୍ରଭୃତି ଦେଶ ସହିତ ବେପାର ବଣିଜ କରି ଏ ଅଞ୍ଚଳର ଶ୍ରୀବୃଦ୍ଧି କରିଥିଲେ। ସେ ଲଙ୍କାଦ୍ୱୀପରୁ ମଙ୍ଗଳା ଠାକୁରାଣୀଙ୍କୁ ଆଣି ନରେନ୍ଦ୍ରପୁର ପାଟଣ ମଙ୍ଗଳା ଗ୍ରାମରେ ସ୍ଥାପନ କରିଥିବାରୁ ଠାକୁରାଣୀଙ୍କୁ ଲଙ୍କେଶ୍ୱରୀ ବୋଲି ମଧ୍ୟ କୁହାଯାଏ। ଏହା ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱରସ୍ଥିତ ଏକ ପୁରାତନ ଶକ୍ତିପୀଠ ।
  • ‘‘ମାଧପୁର ଚଣ୍ଡୀ’’ : ଚାନ୍ଦବାଲିରୁ ଅନତି ଦୂରରେ ମାଧପୁର ଗ୍ରାମସ୍ଥ ଚଣ୍ଡୀ ମନ୍ଦିର ଭଦ୍ରକ ଜିଲ୍ଲାର ଏକ ପୁରାତନ ଶକ୍ତିପୀଠ ।

ପ୍ରସିଦ୍ଧ ଖାଦ୍ୟ[ସମ୍ପାଦନା]

ଚାନ୍ଦବାଲିରୁ ଭଦ୍ରକ ଯିବା ରାସ୍ତାରେ ଗଦି ଅଞ୍ଚଳର ଛେନ ମୁଡୁକି ଏଠାକାର ପ୍ରସିଦ୍ଧ ମିଷ୍ଟାନ୍ନ।

ଆଧାର[ସମ୍ପାଦନା]

  1. PINcode.net.in
  2. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୃ ୨୬୧୧

ବାହାର ଆଧାର[ସମ୍ପାଦନା]

‘ମା’ - ଶ୍ରୀ ପ୍ରେମଚାନ୍ଦ ମହାରଣା, ଚାନ୍ଦବାଲି