ଚନ୍ଦ୍ର

ଉଇକିପିଡ଼ିଆ ରୁ
ଏହି ଲେଖାଟି ପୁରାଣ ବର୍ଣ୍ଣିତ ଚନ୍ଦ୍ର ବାବଦରେ । ଉପଗ୍ରହ ପାଇଁ, ଜହ୍ନ ପ୍ରସଙ୍ଗଟି ଦେଖନ୍ତୁ ।
ଚନ୍ଦ୍ର
Chandra graha.JPG
moon
Moon
Devanagari चन्द्र
Sanskrit Transliteration Chandra
Affiliation ଗ୍ରହ, ଦେବତା
Planet Moon
Consort ୨୭ ନକ୍ଷତ୍ର
(ଦକ୍ଷଙ୍କ କନ୍ୟାଗଣ)
Mount chariot pulled by an antelope
by ten white horses / rams

ଚନ୍ଦ୍ର, ହିନ୍ଦୁ ଧର୍ମ ଅନୁସାରେ ନବଗ୍ରହଙ୍କ ମଧ୍ୟରେ ଏକ ଗ୍ରହ।

ପୌରାଣିକ[ସମ୍ପାଦନା]

ବ୍ରହ୍ମାଙ୍କର ଅଷ୍ଟ ମାନସପୁତ୍ର ଅତ୍ରିଙ୍କ ଔରସରୁ ପତ୍ନୀ ଅନସୂୟାଙ୍କ ଗର୍ଭରୁ ଚତୁର୍ଦ୍ଦଶୀ ତିଥିରେ ଚନ୍ଦ୍ରଙ୍କର ଜନ୍ମ । ଏକଦା ଋତୁମତୀ ଅନସୂୟାଦେବୀ ଚତୁର୍ଥଦିନ ପ୍ରାତଃସମୟରେ ଶୁଦ୍ଧସ୍ନାନ ପାଇଁ କ୍ଷୀରସାଗରକୁ ଯାଇଥିଲେ । ଅତ୍ରିମୁନୀ ତାଙ୍କୁ ଗୃହରେ ନପାଇ ଖୋଜି ଖୋଜି କ୍ଷୀରସିନ୍ଧୁ ସ୍ନାନଘାଟରେ ଭେଟିଲେ । ଏକ ଉତ୍ତମ ପୁତ୍ର ସନ୍ତାନ ଉଦ୍ଦେଶ୍ୟରେ ତିରିଶି ଦିବାରାତ୍ର ସମ୍ଭୋଗରେ ଅନସୂୟାଙ୍କ ସହିତ ସେହି ସାଗର ତଟରେ ମଗ୍ନ ରହିଲେ । କିନ୍ତୁ ପନ୍ଦରଦିନ ଗତହେବା ପରେ ଦେବୀ ଅନସୂୟା ଆସକ୍ତା ହୋଇ ପଡ଼ିବାରୁ ଋଷି ସମ୍ଭୋଗରୁ ବିରତ ହେଲେ । କିନ୍ତୁ ଲିଙ୍ଗଚକ୍ରରୁ ସ୍ଖଳିତ ରେତ ବିନ୍ଦୁଘରେ ପୁନଃ ସ୍ଥାପିତ ହୋଇପାରିଲା ନାହିଁ । ଫଳରେ ଲଲାଟ ମଧ୍ୟଗତ ସେହି ତରଳବିନ୍ଦୁ ନେତ୍ରପଥ ଦେଇ ଲୋତକ ରୂପେ କ୍ଷୀରସାଗର ଜଳରେ ଝରିପଡ଼ିଲା । ସେହି ପତିତ ଲୋତକ ବିନ୍ଦୁରୁ ଏକ ତେଜୋମୟ ପିଣ୍ଡ ସୃଷ୍ଟିହେଲା । ଜଳଦେବତା ବରୁଣଙ୍କ ଅନୁରୋଧରେ ମୁନିଦମ୍ପତି ସେହି ସୁନ୍ଦର ନବଜାତ ସନ୍ତାନକୁ ପୁତ୍ରରୂପେ ବରୁଣଦେବଙ୍କୁ ଅର୍ପଣ କଲେ । ମୁନିଙ୍କ ବର ଯୋଗୁଁ ଚନ୍ଦ୍ର ଷୋଳକଳାରେ ପରିପୂର୍ଣ୍ଣ ହୁଅନ୍ତି । ଶୁକ୍ଳପକ୍ଷରେ ଚନ୍ଦ୍ରଙ୍କର ଅବୟବ ବୃଦ୍ଧିଘଟେ, ପୂର୍ଣ୍ଣମୀରେ ପୂର୍ଣ୍ଣତା ଲାଭକରନ୍ତି । କିନ୍ତୁ କୃଷ୍ଣପକ୍ଷରେ ଚନ୍ଦ୍ରଙ୍କର କ୍ଷୟଘଟେ, ଅମାବାସ୍ୟାରେ ସଂପୂର୍ଣ୍ଣ ଲୀନ ହୋଇଯାଆନ୍ତି ।

ପୌରାଣିକ ବିବରଣୀ ଅନୁସାରେ ମୁନି ଦମ୍ପତିଙ୍କ କେଳି ଅପୂର୍ଣ୍ଣ ରହିବା ହେତୁ ଚନ୍ଦ୍ରଙ୍କର ପାକ୍ଷିକ କ୍ଷୟବୃଦ୍ଧି ଘଟିଥାଏ । ଏହି ରହସ୍ୟ ଅବିଦିତ ଥିବାରୁ, ସମସ୍ତେ ଜାଣନ୍ତି ଚନ୍ଦ୍ର ବରୁଣଙ୍କ ସନ୍ତାନ । ପରବର୍ତ୍ତୀ ସମୟରେ ଚନ୍ଦ୍ରଙ୍କୁ କ୍ଷୀରସାଗର ମନ୍ଥନରୁ ଉଦ୍ଧାର କରାଯାଇ ମହାକାଶରେ ସ୍ଥାପନ କରାଗଲା ଏବଂ ସାଗର ମନ୍ଥନରୁ ଜାତ ସମସ୍ତ ଔଷଧୀର ଅଧିପତି ଚନ୍ଦ୍ରଙ୍କୁ ଅର୍ପଣ କରାଗଲା । ତେଣୁ ଉଦ୍ଭିଦ ଜଗତରେ ସମସ୍ତ ବୃକ୍ଷଲତାର ଅଧିପତି ହେଲେ । କିନ୍ତୁ ବରାହ ପୁରାଣ ଅନୁସାରେ ସୃଷ୍ଟି ସର୍ଜନା କଥା ଚିନ୍ତା କରୁଥିବା ବେଳେ ବିଶ୍ୱକର୍ତ୍ତାଙ୍କ ଚକ୍ଷୁଦ୍ୱୟରୁ ପ୍ରଥମେ ତେଜ ସୃଷ୍ଟିହୁଏ । ଦକ୍ଷିଣ ଚକ୍ଷୁରୁ ସୂର୍ଯ୍ୟ ବାମ ଚକ୍ଷୁରୁ ଚନ୍ଦ୍ର ସୃଷ୍ଟିହୁଅନ୍ତି । [୧]

ଅନ୍ୟଏକ ମତ ଅନୁସାରେ ବ୍ରହ୍ମା ଅତ୍ରିଙ୍କୁ ସୃଷ୍ଟି ସର୍ଜନା କରିବାକୁ ନିର୍ଦ୍ଦେଶ ହେଲେ । ସୁଚାରୁରୂପେ ସଂସାର ସୃଷ୍ଟିକରିବା ପାଇଁ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଋଷି ତପସ୍ୟା କଲେ । ବିଷ୍ଣୁ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏକ ଦିବ୍ୟଜ୍ୟୋତି ରୂପେ ଆସି ହୃଦୟରେ ରହିଲେ । ତାହା ଜାଣି ଅତ୍ରିଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରିପଡ଼ିଲା । ସେହି ଲୁହରୁ କେତେଗୁଡ଼ିଏ ଭ୍ରୂଣ ଜାତ ହେଲେ । ବ୍ରହ୍ମା ସେହି ଭ୍ରୂଣଗୁଡ଼ିକୁ ଏକାଠି କରି ଏକ ସୁନ୍ଦର ତରୁଣ ସୃଷ୍ଟିକଲେ । ସେହି ସୁନ୍ଦର ତରୁଣ ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମାନ ହୋଇଥିଲା । ସେ ହେଲେ ଚନ୍ଦ୍ରଦେବତା । ତତ୍ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତିକଲେ । ସେହି ସ୍ତୁତି ହେତୁ ପୃଥିବୀରେ ଔଷଧୀୟ ବୃକ୍ଷଲତା ଉଦ୍ଭବ ହେଲେ । ତେଣୁ, ଚନ୍ଦ୍ରଙ୍କୁ ଔଷଧିମାନଙ୍କର ଅଧିପତି କହାଗଲା । ଆଉମଧ୍ୟ ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜା ରୂପେ ବର୍ଣ୍ଣନା କରାଯାଇଛି ।[୨]

ଚନ୍ଦ୍ରକ୍ଷୟ[ସମ୍ପାଦନା]

ଚନ୍ଦ୍ର ସୌନ୍ଦର୍ଯ୍ୟରେ ଅନୁମପ ତଥା ସମସ୍ତ ଉଦ୍ଭିଦଙ୍କ ରାଜା ହୋଇଥିବାରୁ ଯଶ, ଖ୍ୟାତି ବହୁଗୁଣିତ ହେଲା। ପ୍ରଜାପତି ଦକ୍ଷ ଚନ୍ଦ୍ରଙ୍କ ସହିତ ତାଙ୍କର ୨୭ଟି କନ୍ୟାମାନଙ୍କୁ ବିବାହ କରାଇଥିଲେ । ସେମାନେ ହେଲେ, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରୋଣା, ସ୍ରବିସ୍ଥା, ପ୍ରଚେତସ, ପୂର୍ବପ୍ରସ୍ଥପଦା, ଉତ୍ତରପ୍ରସ୍ଥପଦା, ରେବତୀ, ଅଶ୍ୱିନୀ, ଭରଣୀ, କୃତ୍ତିକା, ରୋହିଣୀ, ମୃଗଶୀରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଆଶ୍ଳେଷା, ଜନକମ୍, ପୂର୍ବା ଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ ଓ ବିଶାଖା । ଦକ୍ଷଙ୍କର ସେହି ୨୭କନ୍ୟାଗଣ ଆକାଶରେ ତାରାରୂପେ ଦେଖାଯାଆନ୍ତି । ସେମାନଙ୍କ ସହିତ ଚନ୍ଦ୍ର ମହାମେରୁ ପରିକ୍ରମା କରନ୍ତି । ଜ୍ୟୋତିର୍ବିଜ୍ଞାନ ମଧ୍ୟ ପୌରାଣିକ ବିବରଣୀକୁ ସମର୍ଥନ କରେ। ଚନ୍ଦ୍ରଙ୍କର ବୈବାହିକ ଜୀବନରେ ପକ୍ଷପାତିତା ଅବଲମ୍ବନ କରିଥିଲେ, ୨୭ଜଣ ପତ୍ନୀଙ୍କ ମଧ୍ୟରୁ କେବଳ ଅପରୂପା ରୂପସୀ ରୋହିଣୀଙ୍କ ସହିତ ନିବିଡ଼ ସମ୍ପର୍କ ରଖୁଥିଲେ ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲେ । କନ୍ୟାମାନଙ୍କ ଅଭିଯୋଗକ୍ରମେ ପିତାଦକ୍ଷ ଚନ୍ଦ୍ରଙ୍କୁ ସତ୍ଉପଦେଶ ଦେଇଥିଲେ। କିନ୍ତୁ, ଚନ୍ଦ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନଥିଲା; ବରଂ ରୋହିଣୀଙ୍କ ସହିତ ସମ୍ପର୍କ ଅଧିକ ନିବିଡ଼ତର ହେଲା । ବାରମ୍ବାର କନ୍ୟାମାନଙ୍କ ଅଭିଯୋଗରେ ଉତ୍‌କ୍ଷିପ୍ତହୋଇ ଚନ୍ଦ୍ରଙ୍କୁ କ୍ଷୟରୋଗ ‘ଯକ୍ଷ୍ମା’ ହେଉବୋଲି ଅଭିଶାପ ଦେଲେ । ଯକ୍ଷ୍ମାରେ ପୀଡିତ ଚନ୍ଦ୍ରଙ୍କର କାନ୍ତି ଓ ଶକ୍ତି ଦିନକୁ ଦିନ ହ୍ରାସ ଘଟିଲା ‌। ବହୁ ଯାଗଯଜ୍ଞ ଦ୍ୱାରା ମଧ୍ୟ କିଛି ସୁଫଳ ମିଳିଲାନାହିଁ । ଔଷଧମାନଙ୍କର ଅଧିପତି ଚନ୍ଦ୍ରଙ୍କର ଜ୍ୟୋତି ଓ ଶକ୍ତିହୀନତା ଯୋଗୁଁ ଔଷଧୀୟବୃକ୍ଷ ତଥା ସମଗ୍ର ଉଦ୍ଭିଦଜଗତ ରୋଗନାଶକ ଶକ୍ତି ହରାଇ ବସିଲେ । ସମଗ୍ର ସଂସାରରେ ହାହାକାର ପଡ଼ିଗଲା । ସମଗ୍ରଦେବତାଙ୍କ ଅନୁରୋଧ ଓ ଚନ୍ଦ୍ରଙ୍କ ଅନୁତାପରେ ବିଗଳିତ ହୋଇ ପ୍ରଜାପତି ଦକ୍ଷ ସବୁପତ୍ନୀଙ୍କ ସହିତ ସମ ସ୍ନେହପ୍ରୀତି ସ୍ଥାପନର ଉପଦେଶ ଦେଇ, ସରସ୍ୱତୀ ନଦୀରେ ସ୍ନାନଦ୍ୱାରା ରୋଗମୁକ୍ତିର ଉପାୟ ବତାଇଦେଲେ । ଚନ୍ଦ୍ରଙ୍କୁ ପ୍ରଭାଯୁକ୍ତ କରି ସରସ୍ୱତୀ ତୀର୍ଥ ‘ପ୍ରଭାସ’ ତୀର୍ଥ ନାମରେ ଖ୍ୟାତି ଅର୍ଜନ କରିଛି । [୩] କିନ୍ତୁ, ଚନ୍ଦ୍ରଙ୍କର ଅଧାଦିନ ବୃଦ୍ଧି ଓ ଅଧାଦିନ କ୍ଷୟ ହୁଏ । ଆଉମଧ୍ୟ, ଚନ୍ଦ୍ର ଅତ୍ୟନ୍ତ ସୁନ୍ଦର ହେତୁ ମନରେ କୌଣସି ଗର୍ବ ଅହଙ୍କାର ନଥିଲା । ଏକଦା ବିଷ୍ଣୁଙ୍କୁ ତପସ୍ୟା କଲେ। ବିଷ୍ଣୁ ତପସ୍ୟାରେ ସନ୍ତୁଷ୍ଟ ହୋଇ ଚନ୍ଦ୍ରଙ୍କୁ ବର ଯାଚନା କଲେ । ଚନ୍ଦ୍ର କହିଲେ , ସେ ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କରିବେ, ସେଥିରେ ଶିବ ତ୍ରିଶୂଳ ଧରି ଯଜ୍ଞକୁ ରକ୍ଷା କରିବେ ଏବଂ ସମସ୍ତ ଦେବତା ଯଜ୍ଞରେ ଯୋଗଦେଇ ଯଜ୍ଞଭାଗ ଗ୍ରହଣ କରିବେ। ବିଷ୍ଣୁ ତାଙ୍କୁ ସେହିବର ଦେଲେ । ବିଷ୍ଣୁଙ୍କଠାରୁ ବର ପାଇବା ପରେ ଚନ୍ଦ୍ର ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କଲେ। ସେଥିରେ ସମସ୍ତ ମୁନିଋଷି, ଦେବତା ଆଦି ଅଂଶ ଗ୍ରହଣ କଲେ । ଫଳରେ ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ ବହୁଗୁଣିତ ହେଲା । ଏହା ଦେଖି ଲକ୍ଷ୍ମୀ ପ୍ରଭୃତି ଦେବୀଗଣ ମୁଗ୍‌ଧ ହେଲେ । ଏହା ଦେଖି ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଉଠିଲା, ମନକୁ ଯାହା ଆସିଲା କଲେ ଏବଂ ଯଜ୍ଞରେ ଉପସ୍ଥିତ ନବଦେବୀଙ୍କୁ ଅସମ୍ମାନ କଲେ । [୪]ଏହିକର୍ମ ଦ୍ୱାରା ଚନ୍ଦ୍ରଙ୍କର ଦେବତ୍ୱ ହ୍ରାସ ଘଟେ ୤ ଚନ୍ଦ୍ରଙ୍କର ତାରାଙ୍କ ସହିତ ଅବୈଧପ୍ରେମକୁ ନେଇ ଅନ୍ୟଏକ କଳଙ୍କମୟ ପୌରାଣିକ ପ୍ରବାଦ ରହିଛି ୤ ଚନ୍ଦ୍ରକଳାର ହ୍ରାସବୃଦ୍ଧି ଅନୁସାରେ କୃଷ୍ଣଚତୁର୍ଦ୍ଦଶୀ ଦିନ ଚନ୍ଦ୍ରଙ୍କର କିଛି ଅବଶେଷ ରହେନାହିଁ ୤ ପୁରାଣ ବର୍ଣ୍ଣନା ଅନୁସାରେ ଅମାବାସ୍ୟା ଦିନଟି ଚନ୍ଦ୍ର ଲୋକଲୋଚନରୁ ଲୁକ୍‌କାୟିତ ରହି ଦେବଗୁରୁ ବୃହସ୍ପତିଙ୍କ ଗୃହରେ ବିଦ୍ୟାର୍ଥୀରୂପେ ଅବସ୍ଥାନ କରନ୍ତି ୤ ଗୁରୁଙ୍କ ଅନୁମତିରେ ମାସରେ ଏକଦିନ ଚନ୍ଦ୍ର ଗୁରୁଙ୍କ ଗୃହରେ ଆସି ଲୁକ୍‌କାୟିତ ଅବସ୍ଥାରେ ରହନ୍ତି ଏବଂ ଅମାବାସ୍ୟା ଓ ପ୍ରତିପଦାରେ ଲୋକଲୋଚନରେ ଦର୍ଶନରେ ଆସନ୍ତି ୤ ସୌମ୍ୟକାନ୍ତ ଚନ୍ଦ୍ରଙ୍କ ଦର୍ଶନରେ ଗୁରୁପତ୍ନୀ ତାରା ମୁଗ୍‌ଧ ହୋଇ ପ୍ରେମ ନିବେଦନ କରନ୍ତି ୤ ଚନ୍ଦ୍ର ରୂପସୀ ତାରାଙ୍କ ପ୍ରେମଭିକ୍ଷାକୁ ପ୍ରତ୍ୟାଖ୍ୟାନ ନକରି ନିଜର ସମ୍ମତି ପ୍ରଦାନ କରନ୍ତି ଏବଂ ନିତି ଅମାବାସ୍ୟାରାତିରେ ତାରାଙ୍କ ସହିତ ଅଭିସାର ରଚନ୍ତି୤ ଏହି ପରକୀୟା ସମ୍ପର୍କରୁ ଚନ୍ଦ୍ର ‘ତାରାପତି’ ନାମରେ ବିଦିତ ୤ ଯଥାସମୟରେ ତାରାଙ୍କର ଏକ ପୁତ୍ରସନ୍ତାନ ପ୍ରସୂତ ହୁଏ ୤ ଜାତକ ଗଣନା ଦ୍ୱାରା ବୁଧ ଅବୈଧ ସନ୍ତାନ ବୋଲି ବୃହଷ୍ପତି ଜାଣିପାରନ୍ତି ୤ ତେଣୁ ଚନ୍ଦ୍ରଙ୍କୁ ଅଭିଶାପ ଦିଅନ୍ତି, ଫଳରେ ଚନ୍ଦ୍ରଙ୍କ ଦେହରେ ଚିରଦିନ ରହିଯାଏ କଳଙ୍କ ୤ ଗୁରୁପତ୍ନୀଙ୍କ ସହିତ ପ୍ରଣୟ ଶାସ୍ତ୍ରନିଷିଦ୍ଧ ୤ ଏଣୁ ପୁରାଣ ବର୍ଣ୍ଣନାକୁ ଆଧାର କରି ଚତୁର୍ଦ୍ଦଶୀରେ ଚନ୍ଦ୍ରଙ୍କ ଗୁରୁଗୃହକୁ ଆସିବା ଓ ପ୍ରତିପଦାଯାଏ ରହଣି ସମୟକୁ, ଅର୍ଥାତ୍ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦାଦି ତିଥି ତ୍ରୟକୁ ବିଦ୍ୟାଧ୍ୟୟନ ପାଇଁ ନିଷେଧ କରାଯାଇଛି ୤

ଆଧାର[ସମ୍ପାଦନା]

  1. ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬
  2. ଅସିତ ମହାନ୍ତି, ଆମଦେବାଦେବୀ, ପୃଷ୍ଠା-୮୫
  3. (ମହାଭାରତ; ଶଲ୍ୟପର୍ବ, ୩୫ ଅଧ୍ୟାୟ) ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬
  4. ଆମଦେବାଦେବୀ, ପୃଷ୍ଠା-୮୫