କୁହୁଡ଼ି

ଉଇକିପିଡ଼ିଆ‌ରୁ
ଫାଇଲ:କୁହୁଡ଼ିରେ ଲୁଚି ଯାଇଥିବା କସ୍‌ମୋପଲି ଆପାର୍ଟମେଣ୍ଟ.jpg
କୁହୁଡ଼ିରେ ଲୁଚି ଯାଇଥିବା କସ୍‌ମୋପଲି ଆପାର୍ଟମେଣ୍ଟ, ଭୁବନେଶ୍ୱର, ଓଡ଼ିଶା ।

କୁହୁଡ଼ି (Fog) ବାୟୁମଣ୍ଡଳରେ ଜଳୀୟବାଷ୍ପର ଏକ ପରିବର୍ତ୍ତିତ ଅବସ୍ଥା । ଶୀତଦିନ ରାତିରେ ତାପ ବିକିରଣ କରି ପୃଥିବୀ ଥଣ୍ଡା ହେବା ସଙ୍ଗେ ସଙ୍ଗେ ବାୟୁର ନିମ୍ନ ଭାଗ ଥଣ୍ଡା ହୋଇଯାଏ ଏବଂ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଯାଏ । ଫଳରେ ବାୟୁରେ ଥିବା ଜଳୀୟବାଷ୍ପ ଘନ ହୋଇଯାଏ ଏବଂ ବାୟୁରେ ଥିବା ଧୂଳିକଣା ଆଦିକୁ ଆଶ୍ରୟ କରି ସୂକ୍ଷ୍ମ ଜଳକଣା ଆକାରରେ ଭୂପୃଷ୍ଠରୁ ଅତି ଅଳ୍ପ ଉଚ୍ଚତାରେ ବାୟୁମଣ୍ଡଳରେ ଭାସିବୁଲେ । ବାୟୁମଣ୍ଡଳରେ ଜଳୀୟବାଷ୍ପର ଏ ପ୍ରକାର ପରିବର୍ତ୍ତିତ ଅବସ୍ଥାକୁ କୁହୁଡ଼ି (Fog) କୁହାଯାଏ ।[୧]

କୁହୁଡ଼ି ଆଚ୍ଛାଦିତ ରାସ୍ତା ।

ପ୍ରକାର[ସମ୍ପାଦନା]

କୁହୁଡ଼ି (Fog) ସାଧାରଣତଃ ଦୁଇ ପ୍ରକାରର । ଯଥା:

  • ବିକିରଣ କୁହୁଡ଼ି (Radiation Fog)
  • ଅଭିବ‌ହନ କୁହୁଡ଼ି (Advection Fog)

ବିକିରଣ କୁହୁଡ଼ି (Radiation Fog)[ସମ୍ପାଦନା]

ବିକିରଣ କୁହୁଡ଼ି (Radiation Fog)

ଭୂପୃଷ୍ଠରେ ତାପ ବିକିରଣ ଫଳରେ ଯେଉଁ କୁହୁଡ଼ି (Fog) ସୃଷ୍ଟି ହୁଏ, ତାହାକୁ ବିକିରଣ କୁହୁଡ଼ି (Radiation Fog) କୁହାଯାଏ । ଏହି ପ୍ରକାର କୁହୁଡ଼ି (Fog) ପାଇଁ ଲମ୍ବା ଶୀତ ରାତି, ନିର୍ମଳ ଆକାଶ ଓ ଧୀର ପବନ ଆବଶ୍ୟକ ।

ଅଭିବ‌ହନ କୁହୁଡ଼ି (Advection Fog)[ସମ୍ପାଦନା]

ଅଭିବ‌ହନ କୁହୁଡ଼ି (Advection Fog)

ଅଭିବ‌ହନ କୁହୁଡ଼ି (Advection Fog) ଉଷ୍ଣ ବାୟୁ ଓ ଶୀତଳ ବାୟୁର ମିଶ୍ରଣ ଯୋଗୁଁ ହୋଇଥାଏ । ଉଦାହରଣ ସ୍ୱରୂପ, ଯେଉଁଠାରେ ସମୁଦ୍ରର ଉଷ୍ଣ ସ୍ରୋତ ଓ ଶୀତଳ ସ୍ରୋତ ମିଳିତ ହୁଅନ୍ତି, ସେଠାରେ ଏହି ପ୍ରକାରର କୁହୁଡ଼ି (Fog) ସୃଷ୍ଟି ହୁଏ । ଉତ୍ତର ଆଟ୍‌ଲାଣ୍ଟିକ୍ ମହାସାଗରର ଲାବ୍ରାଡର ଶୀତଳ ସ୍ରୋତ ଓ ଉପସାଗରୀୟ ଉଷ୍ଣ ସ୍ରୋତର ମିଳନ ସ୍ଥାନରେ ଏ ପ୍ରକାର କୁହୁଡ଼ି ଦେଖାଯାଏ ।

ମିଷ୍ଟ୍ (Mist)[ସମ୍ପାଦନା]

କୁହୁଡ଼ି (Fog) ଅତି ପତଳା ହେଲେ ତାହାକୁ ମିଷ୍ଟ୍ (Mist) କୁହାଯାଏ । ଅଧିକ ଘନତା ଯୋଗୁଁ କୁହୁଡ଼ି (Fog) ସାଧାରଣତଃ ଏକ କିଲୋମିଟର ବା ତ‌ହିଁରୁ କମ୍ ଦୂରରେ ଥିବା ବସ୍ତୁକୁ ଦେଖିବାରେ ବାଧା ଜନ୍ମାଇଥାଏ । ମାତ୍ର ମିଷ୍ଟ୍ (Mist) କୁହୁଡ଼ି (Fog) ଅପେକ୍ଷାକୃତ ପତଳା ହୋଇଥିବାରୁ ଏଥିରେ ଏକ କିଲୋମିଟରରୁ କିଛି ଅଧିକ ଦୂରରେ ଥିବା ବସ୍ତୁକୁ ଦେଖିହୁଏ ।

ସ୍ମଗ୍ (Smog)[ସମ୍ପାଦନା]

ସ୍ମଗ୍ (Smog)

ବଡ଼ ବଡ଼ ଶିଳ୍ପାଞ୍ଚଳମାନ‌‌ଙ୍କରେ ବାୟୁରେ ଥିବା ବିଷାକ୍ତ ରାସାୟନିକ ଅଣୁ ବିଶିଷ୍ଟ ଧୂଆଁ (Smoke) ଜଳୀୟବାଷ୍ପକୁ ଆକୃଷ୍ଟ କରି ଏକ ପ୍ରକାର କୁହୁଡ଼ି (Fog) ସୃଷ୍ଟି କରିଥାନ୍ତି । ଏହାକୁ ସ୍ମଗ୍ (Smog = Smoke + Fog) କୁହାଯାଏ ।

ଆଧାର[ସମ୍ପାଦନା]

  1. ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ବାୟୁମଣ୍ଡଳ, କୁହୁଡ଼ି. ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ. p. ୩୯.