କୁକ୍‌କୁଟୀ ବ୍ରତ

ଉଇକିପିଡ଼ିଆ‌ରୁ

ଭାଦ୍ର ଶୁକ୍ଳ ସପ୍ତମୀଦିନ କୁକ୍‌କୁଟୀ ବ୍ରତ ପାଳନ ହୁଏ । ବଙ୍ଗଓଡ଼ିଶାରେ ଏହା ବିଶେଷ ଭାବରେ ପ୍ରଚଳିତ । ମୁଖ୍ୟତଃ ଏହି ବ୍ରତ ଛୋଟନାଗପୁର ଅଞ୍ଚଳର ପାର୍ବତ୍ୟ ଗୋଷ୍ଠିରୁ ଆସି କ୍ରମେ ହିନ୍ଦୁ ଧର୍ମରେ ପ୍ରବେଶ କରିଛି । କୁକ୍ କୁଟୀ ସେହିମାନଙ୍କର ଦେବୀ । ପୂର୍ବକାଳର ବହୁ ଅହିନ୍ଦୁ ଦେବୀଙ୍କ ପରି, ସେ ମଧ୍ୟ ଆର୍ଯ୍ୟହିନ୍ଦୁମାନଙ୍କଦ୍ୱାରା ପୂଜିତ ହୋଇଛନ୍ତି । ବ୍ରତଟି ହିନ୍ଦୁଧର୍ମ ଛାଞ୍ଚରେ ଉତୁରିଛି । ଯୁଧିଷ୍ଠିର-ଶ୍ରୀକୃଷ୍ଣ ଆଳାପରୁ ବ୍ରତକଥା ଆରମ୍ଭ । ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀକୃଷ୍ଣ, ଲୋମଶ ମୁନିଙ୍କ କଥା ଉଠାଇଛନ୍ତି । ଥରେ ସେ ପୁଣ୍ୟତପା ମଥୁରାରେ ପହଁଞ୍ଚିଲେ । ଦେବକୀ ଓ ବାସୁଦେବ ତାଙ୍କର ଅଭ୍ୟର୍ଥନା କଲେ । ଦେବକୀଙ୍କର ବିଷାଦମଳିନ ମୁଖ ଦେଖି ଲୋମଶ ତାଙ୍କୁ କୁକ୍‌କୁଟୀ ବ୍ରତ କଥା କହିଲେ । ଏହିବ୍ରତ ପୂର୍ବେ ଅଯୋଧ୍ୟାର ରାଜା ନହୁଷଙ୍କ ପତ୍ନୀ ଚନ୍ଦ୍ରମୁଖୀ ଓ ତାଙ୍କ ପୁରୋହିତଙ୍କ ପତ୍ନୀ ମେନା ସରଯୂ ନଦୀ କୂଳରେ କରିଥିଲେ । ଚନ୍ଦ୍ରମୁଖୀ ଓ ମେନା ସରଯୂ କୂଳରେ ସ୍ନାନ ପାଇଁ ଯାଇଥିଲେ । ସେଠାରେ କେତେକ ରମଣୀ ସ୍ନାନ ପରେ ମଣ୍ଡଳ କାଟି ସେଥିରେ ଉମା ମହେଶ୍ୱରଙ୍କ ପ୍ରତିମୂର୍ତ୍ତି ଆଙ୍କି ପୂଜା କରୁଥିଲେ । ପୂଜା ସାରି ହାତରେ ରକ୍ତ ବର୍ଣ୍ଣର ଡୋରକି ବାନ୍ଧିଲେ । ଚନ୍ଦ୍ରମୁଖୀ ଓ ମେନା ସେମାନଙ୍କଠାରୁ ବ୍ରତଫଳ ଓ ପାଳନ ବିଧି ବୁଝିଲେ । ସେଦିନ ସେମାନଙ୍କ ସହ ବ୍ରତ କରି ହାତରେ ଡୋରକ ବାନ୍ଧି ବାହୁଡ଼ିଲେ । ତା’ପରେ ଚନ୍ଦ୍ରମୁଖୀ ଗର୍ବରେ ଡୋରକ ପିନ୍ଧିଲେ ନାହିଁ । ମେନା ମଧ୍ୟ ବ୍ରତ ଭୁଲିଗଲେ । ଫଳରେ ଚନ୍ଦ୍ରମୁଖୀ ମର୍କଟୀ ଓ ମେନା କୁକ୍‌କୁଟୀ ହୋଇ ଜନ୍ମ ହେଲେ । କିନ୍ତୁ ମେନା ଏହି କୁକ୍‌କୁଟୀ ଜନ୍ମରେ ପୁନର୍ଜନ୍ମ କଥା ମନେରଖିଥିଲେ । ତେଣୁ ସେ ମନେମନେ ଶିବଙ୍କୁ ସ୍ତୁତି କଲେ । କିଛି କାଳପରେ ଚନ୍ଦ୍ରମୁଖୀ ଗୋଟିଏ ରାଜ୍ୟରେ ଇଶ୍ୱରୀ ନାମକ ରାଣୀ ହୋଇ ଜନ୍ମ ହେଲେ । ମେନା ସେହିରାଜ୍ୟର ରାଜପୁରୋହିତ ଅଗ୍ନିମନ୍ଦିଙ୍କ ପତ୍ନୀ ହେଲେ । ଏଜନ୍ମରେ ତାଙ୍କର ନାଁ ହେଲା ଭୂଷଣା । ସେ ପୂର୍ବଜନ୍ମ ପରି ଏଜନ୍ମରେ ମଧ୍ୟ ଜାତିସ୍ମର ହେଲେ । ଭୂଷଣା ବ୍ରତ ପାଳୁଥିଲେ । ତାଙ୍କର ଆଠଟି ପୁତ୍ର ଥିଲେ । ପାରିବାରିକ ଜୀବନ ଆନନ୍ଦମୟ ଥିଲା । ଅପରପକ୍ଷରେ ଇଶ୍ୱରୀଙ୍କର ଗୋଟିଏ ପୁଅ । ସେ ସବୁବେଳେ ରୁଗ୍‌ଣ । ନଅ ବର୍ଷ ବୟସରେ ତାର ମୃତ୍ୟୁ ଘଟିଲା । ଇଶ୍ୱରୀ ଦୁଃଖରେ ଭାଙ୍ଗି ପଡ଼ିଲେ । ଭୂଷଣା ତାଙ୍କ ପ୍ରତି ସମବେଦନାଶୀଳା ଥିଲେ । ମାତ୍ର ଇଶ୍ୱରୀ ଇର୍ଷା ପରାୟଣ ଥିଲେ । ସେ ଛଳନାପୂର୍ଣ୍ଣ ବ୍ୟବହାର ଦେଖାଇ ଭୂଷଣାଙ୍କ ପୁତ୍ରମାନଙ୍କୁ ମାରିବାକୁ ବହୁବାର ଉଦ୍ୟମ କରିଲେ । ମାତ୍ର ଭୂଷଣାଙ୍କର ବ୍ରତ ପ୍ରଭାବରୁ ତାଙ୍କର କିଛି କ୍ଷତି ହେଲାନାହିଁ । ଦିନେ ଇଶ୍ୱରୀ ଭୂଷଣାଙ୍କଠାରୁ ପୂର୍ବଜନ୍ମ ପ୍ରସଙ୍ଗ ଓ ବ୍ରତ ପାଳନ ପାଇଁ ପରାମର୍ଶ ଶୁଣିଲେ । ବିଧି ଅନୁସାରେ ବ୍ରତ ପାଳିଲେ । ତାଙ୍କ ଜୀବନରେ ପୁଣି ସୁଖ ସମ୍ପଦ ଫେରିଲା । ମୃତବତ୍ସା ଦୋଷ ଦୂର କରିବା ପାଇଁ ଏହି ବ୍ରତ ପାଳନ କରାଯାଏ । ଲୋମଶ ମୁନି ଦେବକୀଙ୍କୁ ଏହି ବ୍ରତ ପାଳନ ପାଇଁ କହିଥିଲେ । କୁକ୍‌କୁଟୀ ବ୍ରତ ଅନ୍ୟ ବ୍ରତ ଓ ଓଷା ପରି ସକଳ ଧର୍ମ କୃତ୍ୟ । ଏଥିରେ ଉମା ମହେଶ୍ୱରଙ୍କୁ ପୂଜା କରାଯାଏ ।[୧]

ଆଧାର[ସମ୍ପାଦନା]

  1. ସଂଚାର, ପୃଷ୍ଠା-୧୪, ଗୁରୁବାର, ୧୨ ସେପ୍ଟେମ୍ବର ୨୦୧୩