କିଶୋରଚନ୍ଦ୍ରାନନ ଚମ୍ପୂ

ଉଇକିପିଡ଼ିଆ‌ରୁ

କିଶୋରଚନ୍ଦ୍ରାନନ ଚମ୍ପୂ (ବା କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ) କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ଏକ ପୁରାତନ ଓଡ଼ିଆ ସାହିତ୍ୟ ରଚନା । ଏହି ଗ୍ରନ୍ଥରେ ବଳଦେବ ହରିରାଧାଙ୍କ ପ୍ରେମଳୀଳା ବର୍ଣ୍ଣନା କରିଛନ୍ତି । ଗଦ୍ୟ ଏବଂ ପଦ୍ୟର ସମ୍ମିଶ୍ରଣ ଏହି ଚମ୍ପୂଟିର ସମଗ୍ର ଗଦ୍ୟାଂଶ ସଂସ୍କୃତ ଭାଷାରେ ରଚିତ ହୋଇଥିବା ବେଳେ କବିତାଗୁଡ଼ିକ ଓଡ଼ିଆରେ ରଚନା କରାଯାଇଛି ।

ରଚନା ବିଷୟବସ୍ତୁ[ସମ୍ପାଦନା]

ଯମୁନା ତୀରରେ କୃଷ୍ଣଙ୍କୁ ଅବଲୋକନ କରି ବିମୁଗ୍ଧା ହୁଅନ୍ତି ରାଧା । କୃଷ୍ଣଙ୍କ ତେଜସ୍ୱୀ ଏବଂ ରମଣୀୟ ରୂପ, ତାଙ୍କର କୋମଳ ବଂଶୀସ୍ୱର ରାଧାଙ୍କ ମାନସ ପଟଳରେ ବାରମ୍ବାର ନାଚିଉଠେ । ବିରହ ବେଦନାରେ ଅସହ୍ୟ ହୋଇ ସେ ସଖୀ ଲଳିତାଙ୍କୁ ପ୍ରେରଣା କରନ୍ତି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବା ପାଇଁ । ଲଳିତା ଶ୍ରୀକୃଷ୍ଣଙ୍କ ସହିତ ବାର୍ତ୍ତାଳାପ କରି ଅବଗତ ହୁଅନ୍ତି ପ୍ରଣୟିନୀର ମିଳନ ସକାଶେ କାମୋପହତ ଶ୍ରୀକୃଷ୍ଣଙ୍କ ବ୍ୟଗ୍ରତା । ଲଳିତାଙ୍କ ପରାମର୍ଶରେ ନୀପକୁଞ୍ଜକୁ ଗମନ କରନ୍ତି ଅଭିସାରିଣୀ ରାଧା । ନିକୁଞ୍ଜସୀମାରେ ମୃଦୁମନ୍ଦ ସମୀରଣର ପ୍ରବହନ, ମଧୁବ୍ରତ ମଣ୍ଡଳୀର ଗୁଞ୍ଜରଣ ଇତ୍ୟାଦି ଦ୍ୱାରପ୍ରକୃତି ଅତ୍ୟନ୍ତ ମନୋରମ ହୋଇଉଠେ । ପ୍ରେମୀଯୁଗଳ ମଜ୍ଜିଯାଅନ୍ତି ମିଳନର ମାଧୁର୍ଯରେ । ପ୍ରଣୟର ପରିସମାପ୍ତିରେ ରତିକ୍ଳାନ୍ତା ରାଧାଙ୍କୁ ନିଜସ୍ୱ ଅଙ୍କରେ ଉପବେଶନ କରାଇ ମଧୁର ଚାଟୁକ୍ତି ପରିବେଷଣ କରନ୍ତି ଶ୍ରୀକୃଷ୍ଣ । ଧୀରେ ଧୀରେ ରାତ୍ରିର ଅବସାନ ଘଟେ ଏବଂ ପୂର୍ବଦିଗ ରକ୍ତିମା ହୋଇଉଠେ । ସଖୀବୃନ୍ଦ ରସାଳସା ରାଧାଙ୍କୁ ରଜନୀ ଶେଷ ହେବାର ଅବଗତ କରାନ୍ତି । ପ୍ରେମୀଯୁଗଳ ପରସ୍ପରଠାରୁ ବିଦାୟ ନେବାପରେ ଉପହାସିତ ହୁଅନ୍ତି ଆପଣା ଆପଣା ଅନୁଗାମୀଙ୍କ ସମୀପରେ । ପରିଶେଷରେ କବି କୃଷ୍ଣଙ୍କୁ ପ୍ରାର୍ଥନା କରି ଚମ୍ପୂଟିର ସମାପ୍ତି କରିଛନ୍ତି ।