କଉଡ଼ି

ଉଇକିପିଡ଼ିଆ ରୁ
କଉଡ଼ି
କଉଡ଼ି, ସମୁଦ୍ର ତଳର ପଥୁରିଆ ଜାଗାରେ ସାଧାରଣତଃ ଦେଖାଯାଏ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଂଘ: Mollusca
ବର୍ଗ: Gastropoda
ଉପ-ବର୍ଗ: Orthogastropoda
ଗଣ: Sorbeoconcha
ଅଧିକୁଳ: Cypraeoidea
କୁଳ: Cypraeidae
ପ୍ରଜାତି: Cypraea
ଜୀଅନ୍ତା କଉଡ଼ି


କଉଡ଼ି ବା କପର୍ଦ୍ଦକ (ସଂସ୍କୃତ) ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ। ହିନ୍ଦୀରେ କୌଡ଼ୀ कौड़ी , ଉର୍ଦୁରେ کوڑی (kauri), ମରାଠୀରେ (କବଡୀ) कवडी kavadi ଓ ଇଂରାଜୀରେ Cowry ବୋଲି କୁହାଯାଏ। [୧]

ନାନା ରକମର କଉଡ଼ି

ପ୍ରକାର[ସମ୍ପାଦନା]

ଗଣ୍ଠି କଉଡ଼ି, ସାଧା କଉଡ଼ି, ବେଙ୍ଗୀ କଉଡ଼ି, ଚିତ୍ର କଉଡ଼ି ଭେଦରେ ବିବିଧ ପ୍ରକାରର କଉଡ଼ି ରହିଛି। ସେଥି ମଧ୍ୟରୁ ଚିତ୍ର କଉଡ଼ି ଅଧିକ ମସୃଣ ଓ ସୁନ୍ଦର।

ବ୍ୟବହାର[ସମ୍ପାଦନା]

ଅର୍ଥନୀତି[ସମ୍ପାଦନା]

ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର ରାଜାମାନଙ୍କ ରାଜତ୍ୱ କାଳରେ ଏବଂ ତା ପୂର୍ବରୁ ମୁଦ୍ରାରୂପେ କଉଡ଼ିର ପ୍ରଚଳନ ରହିଥିଲା। ଭାରତ ମହାସାଗରରୁ କଉଡ଼ି ସଂଗ୍ରହ କରା ଯାଉଥିଲା ସାଧାରଣ ପ୍ରଜାମାନେ କର ସ୍ୱରୂପ କଉଡ଼ି ଦେଉଥିଲେ ଓ ରାଜ ଭଣ୍ଡାରରେ କଉଡ଼ି ଗଚ୍ଛିତ ହୋଇ ରହୁଥିଲା।

୧୮୪୫ ମସିହାର ଏକ ପ୍ରତିକୃତି, ଯେଉଁଥିରେ ଜଣେ ଆରବ ବଣିକଦ୍ୱାରା କଉଡ଼ିକୁ ପଇସା ହିସାବରେ ବ୍ୟବହାର କରିବାର ପ୍ରଦର୍ଶିତ ହୋଇଛି।

ଗୋଟିଏ କଉଡ଼ିକୁ ଏକ କଡ଼ା, ୪ଟି ବା ୪ କଡ଼ାକୁ ଏକ ଗଣ୍ଡା, ୫ କଡ଼ାକୁ ଅର୍ଦ୍ଧଦାମୁଡ଼ି, ୧୦ କଡ଼ାକୁ ଦାମୁଡ଼ି, ୫ ଗଣ୍ଡାକୁ ବୋଡ଼ି ବା ଛଦାମ, ୨୦ ଗଣ୍ଡାକୁ ପଣ ଓ ଷୋଳ ପଣକୁ କାହାଣ ଭାବରେ ପୂର୍ବରୁ ଗଣା ଯାଉଥିଲା। ପୂର୍ବକାଳରେ ସମ୍ପନ୍ନ ଗୃହସ୍ଥମାନେ ଚୋର ଭୟରୁ ରକ୍ଷା ପାଇବାକୁ କଉଡ଼ିକୁ ମାଠିଆରେ ଭରି ମାଟିତଳେ ପୋତି ରଖୁଥିଲେ। ଆଜି କାଲି ବି କୂଅ ପୋଖରୀ ଖୋଳିବା ବେଳେ କଉଡ଼ିଭରା କଳସୀ ମିଳିବାର ଦୃଷ୍ଟାନ୍ତ ରହିଛି।

ପୁରାତନ କାଳରେ ହାଟ ବଜାରରେ କଉଡ଼ିର ଦୋକାନ ରହୁଥିଲା। ପଇସାକୁ ପଣେ (କୋଡ଼ିଏ ଗଣ୍ଡା ବା ୮୦ ଗୋଟି) କଉଡ଼ି ମିଳୁଥିଲା। ଇଂରେଜ ଶାସନ ବେଳକୁ କଉଡ଼ିର ବ୍ୟବହାର କ୍ରମଶଃ କମି ଅଧଲା, ପାହୁଲାର ପ୍ରଚଳନ ଆସି ଯାଇଥିଲା ଓ ପରବର୍ତ୍ତୀ କାଳରେ ମୁଦ୍ରା ହିସାବରେ କଉଡ଼ିର ପ୍ରଚଳନ ବନ୍ଦ ହୋଇଗଲା।

ପରମ୍ପରା[ସମ୍ପାଦନା]

ପୁରା କାଳରେ ବିଭିନ୍ନ ପ୍ରକାରର ଓଡ଼ିଆ ଅଳଂକାରରେ ମଧ୍ୟ କଉଡ଼ିର ପ୍ରଚଳନ ରହିଥିଲା। ସ୍ତ୍ରୀଲୋକମାନେ ଝୁମ୍ପା, ହାତଫୁଲି ଆଦି ଅଳଂକାରରେ କଉଡ଼ି ଲଗାଇ ପିନ୍ଧୁଥିଲେ। ଓଡ଼ିଶାରେ ଆଗରୁ ବ୍ୟବହାର କରା ଯାଉଥିବା ଝାଡ଼, ପେଡ଼ି, ଶିକା ଆଦିରେ ଏବଂ ଗାଈ ବଳଦଙ୍କ ତୁଣ୍ଡୀରେ କଉଡ଼ି ଲଗାଇ ତାକୁ ସୁନ୍ଦର କରା ଯାଉଥିଲା।

ମାର୍ଗଶିର ମାସ ଓ ମାଘ ମାସରେ ଉତ୍କଳୀୟ ପରିବାରରେ ହେଉଥିବା ଧାନମାଣିକା ଓଷା ଓ ଲକ୍ଷ୍ମୀ ପୂଜାରେ ଗୃହିଣୀମାନେ ଲକ୍ଷ୍ମୀ ଦେବୀଙ୍କ ସହିତ କଉଡ଼ିର ମଧ୍ୟ ପୂଜା କରିଥାନ୍ତି। କଉଡ଼ିରେ ଲକ୍ଷ୍ମୀ ଦେବୀଙ୍କର ଆଖି ତିଆରି କରିଥାନ୍ତି। ନବଜାତ ପିଲାର ଷଠୀଘରେ ସ୍ତ୍ରୀଲୋକମାନେ କଉଡ଼ି ଓ ମାଟି ସାହାଯ୍ୟରେ କାନ୍ଥରେ ଷଠୀ ଦେବୀଙ୍କର ନାନା ପ୍ରକାରର ଆକୃତି ଆଙ୍କି ଥାଆନ୍ତି।

କେରଳର ଜ୍ୟୋତିଷୀଙ୍କଦ୍ୱାରା କଉଡ଼ିକୁ ଏକ ଆଧ୍ୟାତ୍ମିକ ଉପକରଣ ହିସାବରେ ବ୍ୟବହାର କରାଯାଏ। [୨]

କଉଡ଼ିକୁ ସ୍ତ୍ରୀତ୍ୱ, ଉର୍ବରତା, ଜନ୍ମ ଓ ଧନର ପ୍ରତୀକ ରୂପେ ପରଗଣିତ କରାଯାଏ। [୩] କଉଡ଼ିର ତଳ ପାଖକୁ ଯୋନି ବା ଆଖିର ପ୍ରତୀକ ରୂପେ ମଧ୍ୟ ମାନିଥାନ୍ତି। [୪]

ଜୁଆଖେଳିବାର କଉଡ଼ି

ରଜସଂକ୍ରାନ୍ତିରେ ଗାଁରେ ଲୋକେ କଉଡ଼ିରେ ଖେଳିଥାନ୍ତି। ବାହାଘର ସମୟରେ ବରକନ୍ୟାଙ୍କ ଭିତରେ କଉଡ଼ି ଖେଳ ହୋଇଥାଏ। କାଚ କଉଡ଼ି ଖେଳ ନାମରେ ଆଉ ଏକ ଖେଳ ମଧ୍ୟ ରହିଅଛି।

ସଧବା ସ୍ତ୍ରୀର ମୃତ୍ୟୁ ହେଲେ ତା ସ୍ୱାମୀ ଶବ ଗମନ ପଥରେ ଖଇ କଉଡ଼ି ବୁଣି ବୁଣି ଯାଇଥାଏ। ଅନ୍ୟ ସଧବା ସ୍ତ୍ରୀ ଲୋକମାନେ ତାକୁ ସାଉଁଟି ନେଇ ମଙ୍ଗଳ ଅଳଙ୍କାର ରୂପେ ଧାରଣ କରିଥାନ୍ତି।

ଚିକିତ୍ସା ବିଜ୍ଞାନ[ସମ୍ପାଦନା]

କଉଡ଼ିକୁ ଔଷଧୀ ହିସାବରେ ମଧ୍ୟ ବ୍ୟବହାର କରାଯାଏ। ବୈଦ୍ୟମାନେ ଏହାର ଭସ୍ମକୁ ବିଭିନ୍ନ ରୋଗର ଉପଚାର ଭାବେ ପ୍ରୟୋଗ କରିଥାନ୍ତି। ବେଙ୍ଗୀ କଉଡ଼ିକୁ ମାଳି କରି ପିଲାଙ୍କୁ ପିନ୍ଧାଇଲେ ବେଙ୍ଗୀ ବଥ ହୁଏନାହିଁ ବୋଲି ଅନେକେ ବିଶ୍ୱାସ କରିଥାନ୍ତି।

ଓଡ଼ିଆ ଲୋକ କଥାରେ କଉଡ଼ି[ସମ୍ପାଦନା]

  • ପାଣି ବୁଡ଼ା କଉଡ଼ି ନିଆଁ ପୁଆଁରେ ଯାଏ
  • କାଣି କଉଡ଼ି ପିତା ତାଳ, ୟାକୁ ଦେଉଥିବ ରାତ୍ରିକାଳ
  • କାକସ୍ନାହନ. ଗଧଭୋଜନ, କୁକୁରଧାଉଡ଼ି, ତେବେ ଯାଇ ଖାଇବୁ ସରକାର ଘର କଉଡ଼ି

ଅଧିକ ସୂଚନା[ସମ୍ପାଦନା]

"କଉଡ଼ି" ୰ କବିବର ଚିନ୍ତାମଣି ମହାନ୍ତି

ଆଧାର[ସମ୍ପାଦନା]

ବାହ୍ୟ ସୂତ୍ର[ସମ୍ପାଦନା]