ଆର୍କମିଡ଼ିସ

ଉଇକିପିଡ଼ିଆ ରୁ
ଆର୍କ୍‌ମଡ଼ିସ୍ ସିରାକ୍ୟୁସ୍
(ଗ୍ରୀକ୍: Ἀρχιμήδης)
ଚିନ୍ତିତ ଆର୍କ୍‌ମିଡ଼ିସ୍‌ଙ୍କ ଛବି (୧୬୨୦)
ଜନ୍ମ ପ୍ରାୟ ଖ୍ରୀ.ପୂ. ୨୮୭ 
ସିରାକ୍ୟୁସ୍, ସିସିଲି
ମାଗ୍ନା ଗ୍ରାସିଆ
ମୃତ୍ୟୁ ପ୍ରାୟ ଖ୍ରୀ.ପୂ. ୨୧୨  (୭୫ ବର୍ଷ ବୟସରେ)
ସିରାକ୍ୟୁସ୍
ବାସସ୍ଥାନ ସିରାକ୍ୟୁସ୍, ସିସିଲି
କ୍ଷେତ୍ର ଗଣିତ, ପଦାର୍ଥ ବିଜ୍ଞାନ, ଇଞ୍ଜୀନିୟରିଙ୍ଗ୍, ଜ୍ୟୋତିର୍ବିଦ୍, ଉଦ୍ଭାବନ
ଜଣାଶୁଣା ଆର୍କ୍‌ମିଡ଼ିସ୍‌ଙ୍କ ନିୟମ, ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ, ତରଳ ସ୍ଥିତିବିଦ୍ୟା, ଲିଭର୍, infinitesimals

ଆର୍କ୍‌ମିଡ଼ିସ୍‌ (ଖ୍ରୀଷ୍ଟପୂର୍ବ ୨୮୭-୨୧୨) ସିରାକସରେ ଜନ୍ମଗ୍ରହଣ କରିଥିଲେ । ସେ ଗ୍ରୀସର ଅଧିବାସୀ ଥିଲେ । ସେ ଏକାଧାରରେ ଜଣେ ଗଣିତଜ୍ଞ, ପଦାର୍ଥ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ ଏବଂ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ପ୍ରାଚୀନକାଳର ବୈଜ୍ଞାନିକମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସେ ଆଧୁନିକ ପଦାର୍ଥ ବିଜ୍ଞାନରେ ଉଦସ୍ଥିତି ବିଜ୍ଞାନ (Hydrostatics)ର ମୂଳଦୂଆ ପକାଇ ଥିଲେ ଏବଂ ଭାରଦଣ୍ଡର ସୂତ୍ରକୁ ବ୍ୟାଖ୍ୟା କରିଥିଲେ । ବହୁତ ଗୁଡ଼ିଏ ଦର୍ପଣ ଦ୍ଵାରା ବଡ଼ ବଡ଼ ଜାହାଜରେ ନିଆଁ ଲଗାଇ ଦେଇ ପାରୁଥିଲେ । ତାଙ୍କୁ ଜଣେ ସର୍ବକାଳୀନ ଶ୍ରେଷ୍ଠ ଗଣିତଜ୍ଞ ରୂପେ ଗଣନା କରାଯାଏ।
ସେ ନିଃଶେଷୀକରଣ (exhaustion) ପ୍ରଣାଳୀ ବ୍ୟବହାର କରି ପାରାବୋଲାର କ୍ଷେତ୍ରଫଳ ସହିତ 'ଅସଂଖ୍ୟ' ମିଶାଣର ଏବଂ ଉତ୍କୃଷ୍ଟ ହାରାହାରି ପାଇ (π)ର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ଆହୁରି ମଧ୍ୟ ସେ ସର୍ତ୍ପଳ ବିୟରିଙ୍ଗ ବୋଲି ତାହାର ନାମ ବ୍ୟାଖ୍ୟା କରିଥିଲେ, ପୃଷ୍ଠ ପରିକ୍ରମଣ ଆୟତନ ପାଇଁ ସୂତ୍ର ଏବଂ ବହୁତ ବଡ଼ ସଂଖ୍ୟାମାନ ନିରୂପଣ କରିବା ପାଇଁ କୌଶଳ ପ୍ରଣାଳୀ ଉଦ୍ଭାବନ କରିଥିଲେ । ସିରାକସ ଦଖଲ କରିବା ସମୟରେ ଜନୈକ ରୋମାନ ସୈନ୍ୟ ତାଙ୍କୁ ହତ୍ୟା କରିଥିଲେ, ଯଦିଓ ତାଙ୍କର କୌଣସି କ୍ଷତି ନ କରିବା ପାଇଁ ନିର୍ଦେଶ ଥିଲା । ସିସେରୋ (Cicero)ଙ୍କ ବର୍ଣ୍ଣନା ଅନୁସାରେ ଆର୍କ୍‌ମିଡ଼ିସ୍‌ଙ୍କ କବର ଉପରେ ସ୍ଥାପିତ ହୋଇଥିଲା ଏକ ଗୋଲକ ଯାହା ଗୋଟିଏ ସ୍ତମ୍ଭାକୃତି ବସ୍ତୁ ଭିତରେ ଖୋଦିତ ହୋଇଥିଲା । ଆର୍କ୍‌ମିଡ଼ିସ୍‌ ପ୍ରମାଣ କରିଥିଲେ ଯେ ସେହି ଗୋଲକଟି ସ୍ତମ୍ଭାକୃତି ବସ୍ତୁର ଆଧାର ସହ ପରପୃଷ୍ଠର କ୍ଷେତ୍ରଫଳ ଏବଂ ଆୟତନର ଦୁଇ ତୃତୀୟାଂଶ । ଏହାଥିଲା ତାଙ୍କର ସମସ୍ତ ଗାଣିତିକ ସଫଳତା ମଧ୍ୟରେ ଏକ ବିଶିଷ୍ଟ ସଫଳତା । [୧]

ଇତିହାସ ପୃଷ୍ଠାରେ[ସମ୍ପାଦନା]

ଅନ୍ୟାନ୍ୟ ଉଦ୍ଭାବନ ଭଳି ତାଙ୍କର ଗାଣିତିକ ଲେଖାଗୁଡ଼ିକ ପ୍ରାଚୀନ କାଳରେ ସେଭଳି ପ୍ରସିଦ୍ଧି ଲାଭ କରି ନଥିଲା । ଆଲେକଜାଣ୍ଡ୍ରିଆର ଗଣିତଜ୍ଞମାନେ ତାକୁ ପଢ଼ିଥିଲେ ଏବଂ ଆର୍କ୍‌ମିଡ଼ିସ୍‌ଙ୍କ ଲେଖାକୁ ପ୍ରମାଣ ସ୍ଵରୂପ ଉଲ୍ଲେଖ କରିଥିଲେ; କିନ୍ତୁ ପ୍ରଥମ ବ୍ୟାପକ ସଙ୍କଳନ ୫୩୦ ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ କରିଥିଲେ । ମିଲିଟସ ଇସିଡୋର ପ୍ରଥମଥର ପାଇଁ ଆର୍କ୍‌ମିଡ଼ିସ୍‌ଙ୍କ କାମର ବିଶେଷ ଆଲୋଚନା କଲେ ଇଉଟୋସିୟସ (Eutocius) ୬୦୦ ଖ୍ରୀଷ୍ଟାବ୍ଦରେ । ଏହାଦ୍ଵାରା ଆର୍କ୍‌ମିଡ଼ିସ୍‌ ବହୁଳ ଭାବରେ ପାଠକମାନଙ୍କ ପାଖରେ ପହଞ୍ଚି ପାରିଲେ । ତାଙ୍କର କେତେକ ଲେଖା ଯାହା ମଧ୍ୟଯୁଗରେ ତିଷ୍ଠି ରହି ପାରିଥିଲା ତାହା ରେନାସାଁର ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରଭାବଶାଳୀ ଉତ୍ସ ହୋଇପାରିଥିଲା । ୧୯୦୬ ସାଲରେ ଆବିଷ୍କୃତ ତାଙ୍କ ଏକ ପାଣ୍ଡୁଲିପିରୁ ତାଙ୍କର ଗାଣିତିକ ଫଳ ନିର୍ଦ୍ଧାରଣ କରିବାର କୌଶଳ ଜଣା ପଡ଼ିଥିଲା । ତାଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ବର୍ଲିନର ଆର୍ଚନହୋଲଡ ମାନମନ୍ଦିର (Archenhold Observatory) ଠାରେ ଅବସ୍ଥିତ । ଏହା ଗେରହାର୍ଡ ଥିଏମକ ଦ୍ଵାରା ଖୋଦିତ ହୋଇଥିଲା ଏବଂ ଏହାର ଉନେ୍ମାଚନ ୧୯୭୨ ମସିହାରେ ହୋଇଥିଲା । ସେଥିରେ ଲେଖାଥିଲା ଯେ ଖ୍ରୀଷ୍ଟପୂର୍ବ ୨୮୭ରେ ସମୁଦ୍ର ବନ୍ଦର ସହର "ସିରାକସ, ସିସିଲି" (Syracuse, Sicily) ଠାରେ ତାଙ୍କ ର ଜନ୍ମ ହୋଇଥିଲା । ଏହି ବନ୍ଦର ସହରଟି ସେହି ସମୟରେ ମାଗ୍ନାଗ୍ରାସିଆ (Magna Graecia)ର ଏକ ଉପନିବେଶ ଥିଲା । ସେ ୭୫ ବର୍ଷ ବଞ୍ଚିଥିଲେ ବୋଲି ବାଇଜାଣ୍ଟାଇନ ଗ୍ରୀକ (Byzantine Greek)ର ଐତିହାସିକ ଜନ ଟିଜଟଜେସଙ୍କ (John Tzetzes) ଲେଖାରୁ ସୂଚନା ମିଳେ । ଆର୍କ୍‌ମିଡ଼ିସ୍‌ଙ୍କ ପିତାଙ୍କ ନାମ ଫିଡ଼ିଆସ (Phidias)। ସେ ଜଣେ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ତାଙ୍କ ବିଷୟରେ ବିଶେଷ କିଛି ଜଣାନାହିଁ । ପ୍ଲୁଟାରଚ (Plutarch) ତାଙ୍କ "ପାରାଲେଲ ଲାଇଭସ"ରେ (Parallel Lives) ଲେଖିଥିଲେ ଯେ ସିରାକସର ଶାସନ କର୍ତ୍ତା ରାଜା ହାଇରୋ ଦ୍ଵିତୀୟ ଆର୍କ୍‌ମିଡ଼ିସ୍‌ଙ୍କ ସମ୍ପର୍କୀୟ ଥିଲେ । ଆର୍କ୍‌ମିଡ଼ିସ୍‌ଙ୍କ ଜୀବନୀ ତାଙ୍କ ସାଙ୍ଗ ହିରାକ୍ଲେଇଡ (Heracleides) ଲେଖିଥିଲେ । କିନ୍ତୁ ତାଙ୍କର ଏହି କାମ ହଜି ଯାଇଥିଲା । ଆର୍କ୍‌ମିଡ଼ିସ୍‌ ବିବାହ କରିଥିଲେ କି ନାହିଁ କିମ୍ବା ତାଙ୍କ ର ସନ୍ତାନ ସନ୍ତତି ଥିଲେ କି ନାହିଁ ଜଣା ନାହିଁ । ସେ ଯୁବକ ଅବସ୍ଥାରେ ବୋଧେ ମିଶର (Egypt)ର ଆଲେକଜାଣ୍ଡ୍ରିଆ (Alexandria) ଠାରେ ପଢ଼ିଥିଲେ । ସେଠାରେ କୋନୋନର ସାମୋସ ( Samos ) ଏବଂ ସାଇରେନେ (Cyrene )ର ଇରାଟୋସ୍ଥେନେସ (Eratosthenes) ତାଙ୍କ ସମସାମୟିକ ଥିଲେ । ସେ କୋନୋନର ସମୋସଙ୍କୁ ବନ୍ଧୁ ଭାବରେ ପରିଚିତ କରିଥିଲେ । ତାଙ୍କର ଦୁଇଟି ଲେଖାର ମୁଖବନ୍ଧ ଇରାଟୋସଥେନେସଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ।

ଯେତେବେଳେ ଦ୍ଵିତୀୟ ପୂନିକୀ ଯୁଦ୍ଧରେ ରୋମାନମାନେ ଜେନେରାଲ ମାରକସ କ୍ଲଡିଅସ ମାରସେଲସଙ୍କ ( Marcus Claudius Marcellus) ଅଧୀନରେ ସିରାକସ ସହରକୁ ଦୁଇ ବର୍ଷ ଅବରୋଧ କରିବା ପରେ ଅଧିକାର କଲେ ସେତେବେଳେ ଖ୍ରୀଷ୍ଟପୂର୍ବ ୨୧୨ ରେ ଆର୍କ୍‌ମିଡ଼ିସ୍‌ଙ୍କ ମୃତ୍ୟୁ ହୋଇଥିଲା। ପ୍ଲୁଟାରଚ (Plutarch)ଙ୍କ ବିବରଣୀ ଅନୁସାରେ ଯେତେବେଳେ ଆର୍କ୍‌ମିଡ଼ିସ୍‌ ଏକ ଗାଣିତିକ ନକ୍ସାର ଚିନନ୍ତରେ ମଗ୍ନଥିଲେ ସେତେବେଳେ ସହରଟି ଦଖଲ ହୋଇଥିଲା । ଏକ ରୋମାନ ସୈନ୍ୟ ଆର୍କ୍‌ମିଡ଼ିସ୍‌ଙ୍କୁ ଜେନେରାଲ ମାରସିଲସଙ୍କୁ ଦେଖାକରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ସେ ଗାଣିତିକ ସମସ୍ୟାଟିର ସମାଧାନରେ ବ୍ୟସ୍ତ ଥିବାରୁ ଦେଖାକରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ସୈନ୍ୟ ଜଣକ ରାଗିଯାଇ ଥିଲେ ଏବଂ ତାଙ୍କୁ ଖଣ୍ଡାରେ ମାରି ଦେଇଥିଲେ । ତାଙ୍କର ଅନ୍ୟ ଏକ ବିବରଣୀ ଅନୁସାରେ ଆର୍କ୍‌ମିଡ଼ିସ୍‌ ଯେତେବେଳେ ଆତ୍ମସମର୍ପଣ କରିବାକୁ ବାହାରିଥିଲେ ସେତେ ବେଳେ ରୋମାନ ସୈନ୍ୟ ଜଣକ ତାଙ୍କୁ ମାରିଦେଇଥିଲେ । ଏହି ବିବରଣୀ ଅନୁସାରେ ସେ ସାଙ୍ଗ ରେ ନେଉଥିବା ଗାଣିତିକ ଯନ୍ତ୍ରପାତି ଗୁଡ଼ିକ ଖୁବ ଦାମିକା ଜିନିଷ ଭାବି ସୈନ୍ୟ ଜଣଙ୍କ ତାଙ୍କୁ ମାରି ଦେଇଥିଲେ । ଜେନେରାଲ ମାରସେଲସ ତାଙ୍କର କୌଣସି ପ୍ରକାରେ କ୍ଷତି ନ କରିବାକୁ ନିର୍ଦେଶ ଦେଇଥିଲେ, ତେଣୁ ତାଙ୍କର ହତ୍ୟା ଜେନେରାଲଙ୍କୁ କ୍ରୋଧାନ୍ଵିତ କରିଥିଲା । ତାଙ୍କ କବର ଉପରେ ଶୋଭା ପାଉଥିଲା ଏକ ଭାସ୍କର୍ଯ୍ୟ ଯାହା ତାଙ୍କର ଗାଣିତିକ ପ୍ରତିଭାର ସଙ୍କେତ ଥିଲା; ଏହାଥିଲା ଅନୁରୂପ ସମାନ ଉଚ୍ଚତା ଓ ସମାନ ବ୍ୟାସର ଏକ ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ । ଗୋଲକ ଏବଂ ସ୍ତମ୍ଭାକାର ବସ୍ତୁ ଉଭୟ ତାଙ୍କ ଇଚ୍ଛା ଅନୁସାରେ ତାଙ୍କର କବର ଉପରେ ରଖାଯାଇଥିଲା । ଗୋଲକର ୨/୩ ଆୟତନର ପୃଷ୍ଠର କ୍ଷେତ୍ରଫଳ ଏବଂ ସ୍ତମ୍ଭାକାର ବସ୍ତୁକୁ ଏକ ରେଖାଦ୍ଵାରା ଚତୁର୍ଦ୍ଦିଗ ସୀମାବଦ୍ଧ କରାଯାଇଛି । ଖ୍ରୀଷ୍ଟପୂର୍ବ ୭୫, ଅର୍ଥାତ୍ ତାଙ୍କ ମୃତ୍ୟୁର ୧୩୭ ବର୍ଷ ପରେ "ସିସେରୋ" ସିସିଲୀରେ ଚାକିରି କରିଥିଲେ । ଆର୍କମେଡିସ୍‌ଙ୍କ କବର ବିଷୟରେ ଶୁଣିଥିଲେ । କିନ୍ତୁ କେହି ସ୍ଥାନୀୟ ଲୋକ କହି ପାରିଲେ ନାହିଁ, ତାଙ୍କର କବର କେଉଁଠାରେ ଅଛି । ଘଟଣା କ୍ରମେ ସେ କବରର ସ୍ଥାନଟି ସାଇରକୁ୍ୟଜ ଆଗ୍ରିଜେନଟାଇନ (Agrigentine) ଗେଟ୍ ଠାରେ ପାଇଲେ । ତାହା ଅବହେଳିତ ଅବସ୍ଥାରେ ପଡ଼ିଥିଲା ଏବଂ ତାହା ଉପରେ ଛୋଟ ଛୋଟ ବୁଦା ମାଡ଼ି ରହିଥିଲା । ସିସେରୋ କବର ସ୍ଥାନଟି ସଫା କଲେ ଏବଂ ଖୋଦିତ ହୋଇଥିବା କାର୍ଯ୍ୟ ସହିତ କେତେକ କବିତାର ଖୋଦନ ମଧ୍ୟ ସେଠାରେ ପାଇଲେ । ଆର୍କ୍‌ମିଡ଼ିସ୍‌ଙ୍କ ଜୀବନୀର ପ୍ରାମାଣିକ ବିବରଣ ତାଙ୍କର ମୃତ୍ୟୁର ବହୁଦିନ ପରେ ପୁରାତନ ରୋମର ଐତିହାସିକମାନଙ୍କ ଦ୍ଵାରା ଲେଖା ହୋଇଥିଲା । ତାଙ୍କ ମୃତ୍ୟୁର ପାଖାପାଖି ସତୁରୀ ବର୍ଷ ପରେ "ପଲିବିଅସ" ତାଙ୍କର ଲିଖିତ "ବିଶ୍ଵ ଇତିହାସ" ପୁସ୍ତକରେ ସିରାକସ ଅବରୋଧ ବିଷୟରେ ବିବରଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ପ୍ଲୁଟାରଚ ଏବଂ ଲିଭି (Livy) ଏହି ବିବରଣୀ ବ୍ୟବହାର କରୁଥିଲେ । ଏହା ଆର୍କ୍‌ମିଡ଼ିସ୍‌ କିପରି ଲୋକ ଥିଲେ ତାହାର କିଞ୍ଚିତ ଆଭାସ ପ୍ରଦାନ କରେ ଏବଂ ସହରକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଯୁଦ୍ଧ ସମ୍ବନ୍ଧୀୟ ଯେଉଁ ଯନ୍ତ୍ର ସେ ନିର୍ମାଣ କରିଥିଲେ ତାହାର ସୂଚନା ଦିଏ ।

ଆବିଷ୍କାର ଏବଂ ଉଦ୍ଭାବନ[ସମ୍ପାଦନା]

ଆର୍କ୍‌ମିଡ଼ିସ୍‌ଙ୍କ ସୂତ୍ର[ସମ୍ପାଦନା]

ତାଙ୍କ ବିଷୟରେ ସାଧାରଣ ଭାବେ ବର୍ଣ୍ଣିତ କାହାଣୀ ଅନୁଯାୟୀ ଅନିୟମିତ ଆକାରରେ କୌଣସି ବସ୍ତୁର ଆୟତନ ମାପିବା ପାଇଁ ସେ ଉପାୟ ଉଦ୍ଭାବନ କରିଥିଲେ । ଭିତ୍ରୁଭିୟସଙ୍କ (Vitruvius) ମତାନୁସାରେ ଲରେଲ ଜୟପତ୍ର (laurel wreath) ମାଲ୍ୟାକାରର ଏକ ନୂତନ ମୁକୁଟ ରାଜା ହାଇରୋ-ଦ୍ଵିତୀୟ (King Hiero II)ଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା । ଏହା ଖାଣ୍ଟି ସୁନାରେ ତିଆରି କିମ୍ବା ଅସାଧୁ ବଣିଆ ଏଥିରେ ରୂପା ମିଶାଇଥିଲା ତାହା ନିର୍ଦ୍ଧାରଣ କରିବା ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଆର୍କ୍‌ମିଡ଼ିସ୍‌ଙ୍କୁ ମୁକୁଟଟି ନ'ଭାଙ୍ଗି ସମସ୍ୟାର ସମାଧାନ କରିବାକୁ ପଡ଼ିଥିଲା । ତେଣୁ ସେ ଏହାକୁ ନତରଳାଇ ଏହାର ସାନ୍ଦ୍ରତା ଘନଫଳ ଦ୍ଵାରା ମାପିବା ପାଇଁ ଏକ ସରଳ ପଦ୍ଧତି ଅନୁସରଣ କରିଥିଲେ । ଯେତେବେଳେ ସେ ଜଳକୁଣ୍ଡରେ ଗାଧୋଉଥିଲେ, ସେ ଦେଖିଲେ ପାଣିର ଉଚ୍ଚତା ବଢ଼ିଯାଉଛି । ସେ ଚିନ୍ତାକଲେ ଯେ ଏହାର ପରିମାଣ ବ୍ୟବହାର କରି ମୁକୁଟର ଆୟତନ ନିରୂପଣ କରିହେବ । ତେଣୁ ମୁକୁଟଟି ପାଣିରେ ବୁଡ଼ାଇଲେ ଏହାର ଆୟତନ ସହିତ ସମାନ ପାଣି ସମୁଦାୟ ପାଣିରୁ ଅପସୃତ ହେବ । ତେଣୁ ମୁକୁଟର ଓଜନକୁ ଅପସୃତ ପାଣିର ଆୟତନ ଦ୍ଵାରା ହରଣ କଲେ ଏହାର ସାନ୍ଦ୍ରତା ଜଣାପଡ଼ିବ । ମୁକୁଟର ସାନ୍ଦ୍ରତା କମ ହେବ ଯଦି ମୁକୁଟ ସହିତ କିଛି ଅଳ୍ପ ସାନ୍ଦ୍ରତା ବିଶିଷ୍ଟ ଶସ୍ତା ଧାତୁ ମିଶିଥାଏ । ପରେ ସେ ନିଜର ଆବିଷ୍କାରରେ ଉତଫୁଲ୍ଲିତ ହୋଇ ବିନା ପୋଷାକରେ ରାସ୍ତାରେ ନାଚିବାକୁ ଲାଗିଲେ ଏବଂ ପାଟିକରି କହିଲେ "ଇଉରେକା" ("eureka") ଅର୍ଥାତ "ମୁଁ ଏହା ପାଇଗଲି" । ଆର୍କ୍‌ମିଡ଼ିସ୍‌ଙ୍କ ସୁନା ମୁକୁଟ ସମ୍ବନ୍ଧୀୟ କାହାଣୀ ତାଙ୍କ ଲେଖାଗୁଡ଼ିକରେ ପଞ୍ଜିକୃତ ହୋଇ ନଥିଲା । କିନ୍ତୁ ତାଙ୍କ ଦ୍ଵାରା ରଚିତ ଭାସମାନ ବସ୍ତୁ ସମ୍ବନ୍ଧୀୟ ନିବନ୍ଧରେ ଏହି ସୂତ୍ର ଉଦସ୍ଥିତି ବିଜ୍ଞାନରେ ଆର୍କ୍‌ମିଡ଼ିସ୍‌ଙ୍କ ସୂତ୍ର ରୂପେ ଅଭିହିତ । ଏହି ସୂତ୍ର ଅନୁସାରେ ଯଦି କୌଣସି ବସ୍ତୁକୁ ତରଳ ପଦାର୍ଥ ମଧ୍ୟରେ ବୁଡ଼ାଯାଏ ତେବେ ତାହାର ଓଜନ ବାହାରି ଯାଉଥିବା ତରଳ ପଦାର୍ଥର ଓଜନ ସହିତ ସମାନ ହେବ ।

ଭାରଦଣ୍ଡ[ସମ୍ପାଦନା]

ସେ ଭାରଦଣ୍ଡ (Lever) ଉଦ୍ଭାବନ କରି ନଥିଲେ, କିନ୍ତୁ ଭାରଦଣ୍ଡ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଲେକଜାଣ୍ଡ୍ରିଆର ପାପସ (Pappus) ତାଙ୍କ ବିଷୟରେ କହିଥିଲେ : "ଯଦି ମୋତେ ଛିଡ଼ାହେବା ପାଇଁ ଗୋଟିଏ ସ୍ଥାନ ଏବଂ ଏକ ଲମ୍ବା ଭାରଦଣ୍ଡ ଦିଆଯାଏ ତାହାହେଲେ ମୁଁ ପୃଥିବୀକୁ ଘୁଞ୍ଚାଇ ଦେବି ।" ଆର୍କ୍‌ମିଡ଼ିସ୍‌ ପ୍ରାୟ ୨୨୦୦ ବର୍ଷ ପୂର୍ବେ କହିଥିଲେ "ମୋତେ ଏକ ଲମ୍ବାଛଡ଼ ଓ ରଖିବାକୁ ଏକ ସ୍ଥାନ ଦିଆଯାଏ, ତାହେଲେ ମୁଁ ପୃଥିବୀକୁ କକ୍ଷ୍ୟଚ୍ୟୁତ କରି ଦେଇ ପାରିବି" । ସେତେବେଳେ ସେ ଜାଣି ନଥିଲେ ପୃଥିବୀର ଓଜନ କେତେ । ତେଣୁ କେତେ ଲମ୍ବର ଛଡ଼ ଦରକାର ହେବ ତାହା କଳନା କରି ପାରି ନଥିଲେ । ପୃଥିବୀକୁ ମୋଟେ ୧ ସେ.ମି. ଉଠାଇବାକୁ କେତେ ସମୟ ଲାଗିବ ତାହା ମଧ୍ୟ ସେ ହିସାବ କରି ପାରି ନଥିଲେ। ତେଣୁ ଜାଣି ପାରି ନଥିଲେ ଯେ ତାଙ୍କର ଜୀବନ କାଳ ଭିତରେ ସେ ପୃଥିବୀକୁ ୧ ମି.ମି. ବି ଉଠାଇ ପାରିବେ ନାହିଁ । ବର୍ତ୍ତମାନ ଜଣାଯାଇଛି ପୃଥିବୀର ଓଜନ ପ୍ରାୟ ୬×୧୦୨୧ ଟନ କିମ୍ବା ୬×୧୦୨୪ କିଲୋଗ୍ରାମ । ମନେକର ଜଣେ ଲୋକ ୬୦ କି.ଗ୍ରା. ଓଜନ ଉଠାଇ ପାରେ । ଏକ ଭାରଦଣ୍ଡର ବଡ଼ବାହୁ ଏବଂ ଛୋଟ ବାହୁର ଅନୁପାତ ଯଦି ୧୦୨୩ ହୁଏ, ତାହାହେଲେ ଛୋଟ ବାହୁଟି ୧ ସେ.ମି. ଉଠାଇବାକୁ ଗୋଟିଏ ବ୍ୟକ୍ତିକୁ ୧୦୨୩ ସେଣ୍ଟିମିଟର ଦୂରକୁ ଯାଇ ତାକୁ ଉଠାଇବାକୁ କିମ୍ବା ପକାଇବାକୁ ପଡ଼ିବ । ୧୦୨୩ ସେଣ୍ଟିମିଟର କିପରି ଯାଇ ପାରିବେ ଓ କେଉଁଠି ଠିଆ ହେବେ ? ତା'ପରେ ଆମେହିସାବ କରିବା ପୃଥିବୀକୁ ୧ ସେ.ମି. ଉଠାଇବା ପାଇଁ ଭାରଦଣ୍ଡର ଅନ୍ୟ ମୁଣ୍ଡଟିକୁ ମୋଟାମୋଟି ୧୦୨୩ ସେ. ମି. ଘୁଞ୍ଚାଇବାକୁ ପଡ଼ିବ। ମନେକର ଆର୍କ୍‌ମିଡ଼ିସ୍‌ ୬୦ କିଲୋଗ୍ରାମ ଓଜନ ଏକ ସେକେଣ୍ଡ ରେ ଏକ ମିଟର ଉଠାଇପାରି ବେ। ତାହା ହେଲେ ୧୦୨୩ ସେ.ମି. ଉଠାଇବାକୁ ୧୦୨୩ ସେ.ମି/୧୦୦ ସେ.ମି.=୧୦୨୧ ସେକେଣ୍ଡ=୧୬୭୨୦ ମିନିଟ=୨.୭୮୧୮ ଘଣ୍ଟା=୧.୧୫୭୧୭ ଦିନ=୩.୮୬ ୧୫ ମାସ= ୩.୨୧୫ ୧୪ ବର୍ଷ= ୩.୨୧୫ ୧୨ =୧୨ ଶହ ବର୍ଷ ଲାଗିବ।

ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ[ସମ୍ପାଦନା]

ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ ସହଜରେ ପାଣି ଉଠାଏ

ପ୍ଲୁଟାରଚ ବର୍ଣ୍ଣନା କରିଛନ୍ତି କିପରି ଆର୍କ୍‌ମିଡ଼ିସ୍‌ ଭାରୀ ଜିନିଷ ଉଠାଇବାରେ କପିକଳ (pulley) ପ୍ରଣାଳୀ ପ୍ରସ୍ତୁତ କରିଥିଲେ ଯାହା ବ୍ୟବହାର କରି ନାବିକ ମାନେ ଭାରୀ ଜିନିଷକୁ ସହଜରେ ଉଠାଇ ପାରୁଥିଲେ । ଆର୍କ୍‌ମିଡ଼ିସ୍‌ଙ୍କ ସ୍କୃ(ପେଞ୍ଚ) ଦ୍ଵାରା ପାଣି ଦକ୍ଷତାର ସହିତ ଉଠାଯାଇ ପାରୁଥିଲା । ତାଙ୍କର ଅଧିକାଂଶ ଯାନ୍ତ୍ରିକ (engineering) କାମଗୁଡ଼ିକ ତାଙ୍କ ସହର ସିରାକସର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ହେଉ ଥିଲା ।

ସାଇରକ୍ୟୁସିଆ[ସମ୍ପାଦନା]

ଗ୍ରୀକ ଲେଖକ ଆଥେନିଅସ (Athenaeus)ର ନଉକ୍ରାଟିସ (Naucratis) ବର୍ଣ୍ଣନା କରିଥିଲେ କିପରି ରାଜା ହାଇରୋନ ଦ୍ଵିତୀୟ (King Hieron-II) ସାଇରକ୍ୟୁସିଆ ନାମକ ଏକ ବଡ଼ ଜାହାଜ ନିର୍ମାଣ କରିବା ପାଇଁ (ଯାହା ବିଳାସପୂର୍ଣ୍ଣ ଜଳଯାତ୍ରା ସମୟରେ ଜିନିଷପତ୍ର ନେଇପାରିବ ଏବଂ ନୌସେନାରେ ମଧ୍ୟ ଯୁଦ୍ଧ ଜାହାଜ ରୂପେ ବ୍ୟବହୃତ ହୋଇପାରିବ) ତାଙ୍କୁ ଏକ ହୁକୁମନାମା ଦେଇଥିଲେ । ଏହି ଜାହାଜଟି ପୁରାତନ କାଳର ସବୁଠାରୁ ଏକ ବଡ଼ ଜାହାଜ ରୂପେ ପ୍ରସିଦ୍ଧି ଲାଭ କରିଥିଲା । ଆଥେନିଅସଙ୍କ ଅନୁସାରେ ଜାହାଜଟିରେ ୬୦୦ ଲୋକ ଯିବାର ବ୍ୟବସ୍ଥା, ଏକ ସୁସଜ୍ଜିତ ବଗିଚା, ବ୍ୟାୟାମ ବିଦ୍ୟାଳୟ ଏବଂ ଦେବୀ ଆଫେ୍ରାଡାଇଟଙ୍କ (Aphrodite) ପୂଜାର୍ଚ୍ଚନା ନିମିତ୍ତ ଏକ ମନ୍ଦିରର ସୁବିଧା ଥିଲା। ଯେହେତୁ ଏହା ଗୋଟିଏ ଅପେକ୍ଷାକୃତ ବଡ଼ ପାଣି ଜାହାଜ ଏଥିରୁ ପାଣି କମାଇବା କିମ୍ବା ମଇଳା ନିଷ୍କାସନ କରିବା ପାଇଁ ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ ବ୍ୟବହୃତ ହୋଇଥିଲା । ଆର୍କ୍‌ମିଡ଼ିସ୍‌ଙ୍କ ମସେିନରେ ଏକ ପ୍ରକାର ସ୍ତମ୍ଭାକୃତିର ବ୍ଲେଡ ଘୂରି ସଫା କରିବା ପ୍ରଣାଳୀ ଥିଲା । ଏହା ଏକ ପ୍ରକାର ହାତରେ ଘୂରିବା ପ୍ରଣାଳୀ ଯାହାଦ୍ଵାରା ତଳେଥିବା ପାଣିକୁ ଚାଷକରିବା ପାଇଁ ଉଦ୍ଦିଷ୍ଟ କେନାଲ ମଧ୍ୟକୁ ଛଡ଼ା ଯାଇପାରୁ ଥିଲା । ବିକାଶଶୀଳ ଦେଶମାନଙ୍କ ରେ ଆର୍କିମଡେିସଙ୍କ ପେଞ୍ଚ ଏବେ ମଧ୍ୟ ବ୍ୟବହାର କରାଯାଉଛି । ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ ବିଷୟରେ ଭିତ୍ରୁଭିୟସଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି ଯେ ରୋମାନଙ୍କ ସମୟରେ ବୋଧହୁଏ ଏହାର ଏକ ଉନ୍ନତ ମାନର ସଂସ୍କରଣ ବ୍ୟବହାର କରି ବାବିଲୋନର (Babylon)ର ଝୁଲା ବଗିଚାରେ ପମ୍ପ ଦ୍ଵାରା ପାଣି ମଡ଼ାଇ ହୋଇପାରୁଥିଲା । ତାଙ୍କ ଦ୍ଵାରା ପ୍ରସ୍ତୁତ ଏକ ନଖାକୃତିର ଉପକରଣ ସିରାକସ ସହରକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହାଦ୍ଵାରା ମଧ୍ୟ "ଜାହାଜର ଉପର ତଳର ଅବସ୍ଥିତି ପରିବର୍ତ୍ତନ କରାଯାଇପାରେ" । ନଖାକୃତି ଉପକରଣରେ କ୍ରେନ ପରି କୌଣସି ଓଜନିଆ ଜିନିଷକୁ ଉଠାଇ ପାରେ । ଯେତେବେଳେ ନଖାକୃତିର ହାତ ଉପରକୁ ହଲୁଥାଏ ସେତେବେଳେ ବୋଧହୁଏ ଜାହାଜଟି ଝୁଲୁଥାଏ । ଏହା ଜାହାଜକୁ ଉପରକୁ ଉଠାଇ ସେଥିରେ ଥିବା ପାଣି ବାହାର କରିବାରେ ସାହାଯ୍ୟ କରେ। ସେହି ଉପକରଣକୁ ଦେଖି ପ୍ରସ୍ତୁତ କରାଯାଇଥିବା ଏକ ଆଧୁନିକ ନଖାକୃତି ଉପକରଣ ୨୦୦୫ ମସିହାରେ ଟେଲିଭିଜନରେ "ପୁରାତନ କାଳର ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର" ଶୀର୍ଷକରେ ଦର୍ଶାଇଥିଲେ।

ଛିଟିକିଣି ଓ ଅଡୋମିଟର[ସମ୍ପାଦନା]

ଆର୍କ୍‌ମିଡ଼ିସ୍‌ ଠିକ ଭାବେ ଦକ୍ଷତାର ଉନ୍ନତି ସାଧନ କରି ପ୍ରଥମ ପୁନିକ ଯୁଦ୍ଧସମୟରେ ଛିଟିକିଣି ବା କାଟାପଲଟ (Catapault) ଓ ଅଡୋମିଟର (Odometer)ର ଉଦ୍ଭାବନ କରି ସମ୍ମାନିତ ହୋଇଥିଲେ । ଅଡୋମିଟର ଗୋଟିଏ ଯାନ ଯାହା ଦେହରେ ଗିଅର ଯନ୍ତ୍ର ପ୍ରଣାଳୀ ରଖା ଯାଇଥାଏ । ସେହି ଯାନ ଦେହରେ ସଂଯୁକ୍ତ ହୋଇଥାଏ ଛିଟିକିଣି ଯାହାଦ୍ଵାରା ଗୋଟିଏ ବଲ ଏକ ପାତ୍ର ଭିତରେ ପଡେ଼ ଯେତେବେଳେ ଯାନଟି ଏକ ମାଇଲ ବାଟ ଅତିକ୍ରମ କରେ । ସିସେରୋ (ଖ୍ରୀଷ୍ଟପୂର୍ବ ୧୦୬-୪୩) ତାଙ୍କ ଦ୍ଵାରା ଖ୍ରୀଷ୍ଟପୂର୍ବ ୧୨୯ରେ ପ୍ରକାଶିତ ଏକ କାଳ୍ପନିକ କଥୋପକଥନ ଡି ରିପବ୍ଲିକା (De republica)ରେ ଆର୍କ୍‌ମିଡ଼ିସ୍‌ଙ୍କ ବିଷୟରେ ସଂକ୍ଷିପ୍ତ ଭାବରେ ଉଲେ୍ଲଖ କରିଛନ୍ତି ।

ଆଣ୍ଟିକାୟାଥେରା ଯନ୍ତ୍ରଶୈଳୀ[ସମ୍ପାଦନା]

ଖ୍ରୀଷ୍ଟପୂର୍ବ ୨୧୨ ରେ ସିରାକସ ଦଖଲ ହେଲାପରେ ଜେନେରାଲ ମାର୍ସେଲସ ରୋମକୁ ଦୁଇଟି ଯନ୍ତ୍ରର ଗଠନ କୌଶଳ ଦେଇଯାଇଥିଲେ ଯାହା ସୂର୍ଯ୍ୟ, ଚନ୍ଦ୍ର ଏବଂ ପାଞ୍ଚଟି ଗ୍ରହର ଗତିବିଧି ଅନୁଶୀଳନରେ ସାହାଯ୍ୟ କଲା । ସିସେରୋଙ୍କ ସୂଚନା ଅନୁସାରେ ମିଲେଟସର ଥେଲସ (Thales of Miletus) ଏବଂ ନିଡସର ଇଣ୍ଡୋସ୍କସ (Endoxus of Cnidus) ସେହିପରି ଯନ୍ତ୍ରପାତି ପ୍ରସ୍ତୁତ କରିଥିଲେ । ଜନଶ୍ରୁତି ଅନୁଯାୟୀ ମାର୍ସେଲସ ସିରାକସରୁ ଲୁଟି ଆଣିଥିବା ଦୁଇଟି ଯନ୍ତ୍ରଶୈଳୀ ମଧ୍ୟରୁ ନିଜପାଇଁ ଗୋଟିଏ ରଖି ଅନ୍ୟଟିକୁ ରୋମର ଏକ ଧର୍ମ ମନ୍ଦିରକୁ ଦାନ କରିଦେଲେ । ସିସେରୋଙ୍କ କହିବା ଅନୁସାରେ ଗାୟଙ୍କ ସଲପିସିଅସ ଗ୍ୟାଲୁସ ମାର୍ସେଲସଙ୍କ ଯନ୍ତ୍ରଶୈଳୀଟିକୁ ଲୁସିଅସ ଫିଉରିୟସ ଫିଲିସଙ୍କୁ ପ୍ରଦର୍ଶନ କରାଇଥିଲେ । ଏହା ଏକ ପ୍ଲାନେଟୋରିୟମର ବର୍ଣ୍ଣନା । 'ଆଲେକଜାଣ୍ଡ୍ରି ଆର ପାପସ' ସୂଚାଇଛନ୍ତି ଯେ ଆର୍କ୍‌ମିଡ଼ିସ୍‌ଙ୍କ ହାତଲେଖାରେ (ବର୍ତ୍ତମାନ ହଜି ଯାଇଛି) ଗୋଲକ ତିଆରି କରିବା ପ୍ରଣାଳୀ ସମ୍ବନ୍ଧରେ ଲେଖିଥିଲେ । ଏହି ଆଧୁନିକ ଗବେଷଣା ପ୍ରଣାଳୀ ଆଣ୍ଟିକାୟାଥେରା ଯନ୍ତ୍ରଶୈଳୀ (Antikythera mechanism) ଯାହା ସମ୍ଭବତଃ ଅନ୍ୟ ଏକ ପୁରାତନ ପ୍ରଣାଳୀ । ଏହିପରି ଯନ୍ତ୍ରପାତି ପ୍ରସ୍ତୁତ କରିବା ପାଇଁ ବ୍ୟାବହାରିକ ଜ୍ଞାନସମ୍ପନ୍ନ ବିଭେଦକ ଗିୟରର ଜ୍ଞାନ ଦରକାର ପଡେ଼ । ପୁରାତନ କାଳରେ ମିଳୁଥିବା ପ୍ରଯୁକ୍ତି ବିଦ୍ୟାରେ ଏହା କଳନା କରିବା ସମ୍ଭବ ନଥିଲା । କିନ୍ତୁ୧୯୦୨ ସାଲରେ ଆବିଷ୍କୃତ ଆଣ୍ଟିକାୟାଥେରା ଯନ୍ତ୍ରର ଗଠନରୁ ସ୍ପଷ୍ଟ ହୋଇଥିଲା ଯେ ସେପ୍ରକାରର ଯନ୍ତ୍ରଶୈଳୀ ପୁରୁଣା ଗ୍ରୀକମାନଙ୍କୁ ଜଣାଥିଲା ଆର୍କ୍‌ମିଡ଼ିସ୍‌ ବୋଧହୁଏ ପାରାବୋଲିକ ଦର୍ପଣ ବ୍ୟବହାର କରି ସିରାକସ ଆକ୍ରମଣ କରୁଥିବା ଜାହାଜ ସବୁକୁ ଜାଳିଦେଇ ନଷ୍ଟ କରି ଦେଉଥିଲେ । ଲୁସିୟାନ (Lucian) ଲେଖିଥିଲେ ସିରାକସ ଦଖଲ ବେଳେ (ଖ୍ରୀଷ୍ଟପୂର୍ବ ୨୧୪-୨୧୨ରେ), ଆର୍କ୍‌ମିଡ଼ିସ୍‌ ଏକ ଜଳନ୍ତା କାଚ ଦ୍ଵାରା ରୋମାନ ସୈନ୍ୟମାନଙ୍କ ର ଆକ୍ରମଣକୁ ପ୍ରତିହତ କରିଥିଲେ । ଏହି ଶୈଳୀ ଦ୍ଵାରା ବହୁତ ଗୁଡ଼ିଏ ମସୃଣ ବ୍ରୋଞ୍ଜ କିମ୍ବା ତମ୍ବା ଖଣ୍ଡ ଦର୍ପଣ ରୂପେ ବ୍ୟବହାର କରାଯାଇ ଜାହାଜ ଉପରେ ସୂର୍ଯ୍ୟରଶ୍ମିକୁ କେନ୍ଦ୍ରିତ କରି ପକାଯାଏ । ଫଳରେ ଜାହାଜରେ ନିଆଁ ଲାଗିଯାଏ । ଏହା ଏକ ପ୍ରକାର ପରବଳୟିକ/ପାରାବୋଲିୟ ( parabolic) ପ୍ରତିଫଳନ ପ୍ରକ୍ରିୟାଭିତ୍ତିକ ଚୁଲା । ସେ ବିଷୟରେ ବିଶେଷତର୍କ ଏବଂ ଆଲୋଚନା ରେନେସାଁ ସମୟରୁ ହୋଇ ଆସୁଅଛି । ରେନି ଦେର୍କାତ (Rene Descartes) ଏହାକୁ ଅସମ୍ଭବ କହି ପ୍ରତ୍ୟାଖ୍ୟାନ କରିଦେଲେ । କିନ୍ତୁ ଆଧୁନିକ ଯୁଗର ଗବେଷକମାନେ ଆର୍କ୍‌ମିଡ଼ିସ୍‌ଙ୍କ ସମୟର ତତ୍ତ୍ଵକୁ ବ୍ୟବହାର କରି ସେ ତତ୍ତ୍ଵର ପୁନରୁଦ୍ଧାରରେ ଲାଗିପଡ଼ିଲେ । ଏହି ଅନୁସାରେ ମସୃଣ ବ୍ରୋଞ୍ଜ କିମ୍ବା ତମ୍ବାର ଦର୍ପଣ ଦ୍ଵାରା ସୂର୍ଯ୍ୟକିରଣ ଏକ ଜାହାଜ ଉପରେ କେନ୍ଦ୍ରୀଭୂତ କରାଯାଏ । ଏହା ପାରାବୋଲିକ ଦର୍ପଣର ନିୟମ ପ୍ରୟୋଗ କରେ ଯାହାକି ସୂର୍ଯ୍ୟଚୁଲା ଭଳି ମଧ୍ୟ ପ୍ରତିଫଳନ କରିପାରିବ।

୧୯୭୩ ସାଲରେ ଗ୍ରୀକର ବୈଜ୍ଞାନିକ 'ଆଓନାଇଜ ସାକାସ' (Ioannis Sakkas) ସ୍କାରାମାଗସ (Skaramagas) ସାମୁଦ୍ରିକ ଅଞ୍ଚଳ ବାହାରେ ଏଥେନସ ନଗରୀରେ ଆର୍କ୍‌ମିଡ଼ିସ୍‌ଙ୍କ ତାପ ରଶ୍ମିର ପରୀକ୍ଷା କରିଥିଲେ । ସେହି ସମୁଦ୍ର ଉପରେ ୭୦ଟି ଦର୍ପଣ ବ୍ୟବହାର କରିଥିଲେ, ପ୍ରତ୍ୟେକ ଦର୍ପଣ ସହିତ ଗୋଟିଏ ଲେଖାଏ ତମ୍ବାର ଆବରଣ ଥିଲା । ପ୍ରତ୍ୟେକର ଆକାର ୩ ଫୁଟ ରୁ ୫ ଫୁଟ ମଧ୍ୟରେ ଥିଲା । ୧୬୦ ଫୁଟ ଦୂରରେ ଥିବା ପ୍ଲାଇକାଠ ନିର୍ମିତ ଏକ ରୋମାନ ଯୁଦ୍ଧ ଜାହାଜ ଆଡକୁ ଦର୍ପଣ ଗୁଡ଼ିକ ମୁହାଁଇ ରହିଥିଲା । ଯେତେବେଳେ ଦର୍ପଣରୁ ପ୍ରତିଫଳିତ ରଶ୍ମି ଠିକ ଭାବରେ କେନ୍ଦ୍ରୀଭୂତ ହୋଇପଡୁଥିଲା, ମାତ୍ର କେତେ ସେକେଣ୍ଡରେ ସେହି ନିଆଁର ଶିଖାରେ ଜାହାଜଟି ଜଳି ଯାଉଥିଲା । ସେହି ପ୍ଲାଇକାଠ ଜାହାଜଟିରେ ଆଲକାତରାର ଆବରଣ ଦିଆଯାଇଥିଲା, ଯାହା ଜ୍ଵଳନରେ ସାହାଯ୍ୟ କରୁଥିଲା ।

୨୦୦୫ ଅକ୍ଟୋବର ମାସରେ ମାସାଚୁ୍ୟସେଟ ଇନଷ୍ଟିଚୁ୍ୟଟ ଟେକ୍ନୋଲୋଜି(MIT)ର ଦଳେ ଛାତ୍ର ଗୋଟିଏ ପରୀକ୍ଷା କରିବା ପାଇଁ ୧୨୭ ଖଣ୍ଡ ୩୦ ସେ.ମି. ବର୍ଗର ଦର୍ପଣର ଟାଇଲକୁ ୩୦ ମିଟର ଦୂରତ୍ଵରେ ରଖି ଏକ କୃତ୍ରିମ ଜାହାଜ ଉପରେ କେନ୍ଦ୍ରୀଭୂତ କରାଇଲେ । ଜାହାଜର ଗୋଟିଏ ଅଂଶରେ ନିଆଁ ଜଳି ଉଠିଲା । ଏହିଭଳି ପରିସ୍ଥିତିରେ ହିଁ ଏହି ଶାସ୍ତ୍ରର କାର୍ଯ୍ୟକାରିତା ଉପଲବ୍ଧ ହେବ ବୋଲି ଉପସଂହାରରେ ଏମ.ଆଇ.ଟି. ଦଳ ପହଞ୍ଚିଥିଲା । ମିଥ ବଷ୍ଟରସ (Myth Busters) ଟେଲିଭିଜନ ପ୍ରଦର୍ଶନ ପାଇଁ ଏକ କାଠର ମାଛଧରା ବୋଟ ବ୍ୟବହାର କରି ସାନଫ୍ରାନସିସକୋ (San Francisco)କୁ ଲକ୍ଷ୍ୟକରି ସେହି ପରୀକ୍ଷାର ପୁନରାବୃତ୍ତି କଲେ । କିଛି ପରିମାଣର ଅଙ୍ଗାର ସହିତ ଅଗ୍ନିଶିଖା ଜାତହେଲା । ନିଆଁ ଲାଗିବା ପାଇଁ କାଠ ପ୍ରାୟ ୩୦୦ ଡିଗ୍ରୀ ସେଲସିୟସରେ ହିଁ ଆକସ୍ମିକ ଦାହ ମାତ୍ରାକୁ ପହଞ୍ଚି ପାରିଥାଏ । ଯେତେବେଳେ ମିଥ ବଷ୍ଟର ସାନଫ୍ରାନସିସକୋ ପରୀକ୍ଷାକୁ ଜାନୁୟାରୀ ୨୦୦୬ରେ ପ୍ରଚାର କରିଥିଲେ, ତାହା ଅକୃତକାର୍ଯ୍ୟ ପରୀକ୍ଷା ଭାବରେ ଶୁଣାଗଲା । କାରଣ ଜ୍ଵଳନ ପାଇଁ ସମୟର ଅବଧି ଏବଂ ଉପଯୁକ୍ତ ପାଣିପାଗ ନଥିଲା । ଏହା ମଧ୍ୟ ସୂଚାଇ ଦିଆଯାଇଥିଲା ଯେହେତୁ ସିରାକସ ପୂର୍ବ ଦିଗକୁ ସମୁଦ୍ର ଆଡ଼କୁ ମୁହଁ କରିଥିଲା, ରୋମାନ ଜାହାଜ ସବୁ ସକାଳୁ ଆକ୍ରମଣ କରିବା ପାଇଁ ଦର୍ପଣ ସାହାଯ୍ୟରେ ବେଶୀ ଆଲୋକ ପାଇବାକୁ ଅପେକ୍ଷା କରିଥିଲେ। ମିଥ ବଷ୍ଟର ଆହୁରି ମଧ୍ୟ ସୂଚାଇଥିଲେ ଯେ ଜଳନ୍ତା ତୀର କିମ୍ବା ବାଟୁଳିଖଡ଼ାରୁ ନିର୍ଗତ ଛୋଟ ଛୋଟ ଲୌହ ଗୋଟାଳି ଭଳି ପ୍ରଚଳିତ ଆୟୁଧ ବ୍ୟବହାର କରି ଅଳ୍ପ ଦୂରରେ ଥିବା ଜାହାଜମାନଙ୍କ ରେ ନିଆଁ ଲଗାଯାଇ ପାରିବ ।

ଗଣିତ[ସମ୍ପାଦନା]

ଆର୍କ୍‌ମିଡ଼ିସ୍‌ଙ୍କୁ ଅନେକ ଯାନ୍ତ୍ରିକ କୌଶଳର ନିର୍ମାତା ଭାବେ ଗଣା ଯାଉଥିଲେ ମଧ୍ୟ ଗଣିତଶାସ୍ତ୍ରରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା । ପ୍ଲୁଟାରଚ ଲେଖିଛନ୍ତି : ସେ ତାଙ୍କ ର ସମସ୍ତ ଉଚ୍ଚାଭିଳାଷ ଏବଂ ଭାବରାଜିକୁ ଇତର ଶ୍ରେଣୀୟ ଚିନ୍ତାରେ ବ୍ୟସ୍ତ ନରଖି ଉଚ୍ଚ କଳ୍ପନା ବିଳାସରେ ମଗ୍ନକରି ରଖୁଥିଲେ । ଆର୍କ୍‌ମିଡ଼ିସ୍‌ ନିଃଶେଷୀକରଣ (exhaustion) ପ୍ରଣାଳୀ ପ୍ରୟୋଗ କରି πର ହାରାହାରି ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏକ ପ୍ରସ୍ତାବନାକୁ ଠିକ ଧରି ନେଇ ଏବଂ ଅନେକ ବିରୋଧାଭାସ ଥିବା ଜାଣି ମଧ୍ୟ ଆର୍କ୍‌ମିଡ଼ିସ୍‌ ଅନେକ ସମସ୍ୟାର ଉତ୍ତର ପ୍ରାୟ ନିର୍ଭୁଲ ଭାବରେ ଦେଉଥିଲେ, ଯେଉଁ ଉତ୍ତରଗୁଡ଼ିକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହୁଛି। ସେହି ପ୍ରଣାଳୀକୁ ନିଃଶେଷୀକରଣ ପ୍ରଣାଳୀ ବୋଲି କୁହାଯାଏ । ସେ ହିସାବ କରି ଦେଖାଇଥିଲେ ଯେ π ର ପରିମାଣ ପ୍ରାୟ ୩.୧୪୨୯ ଠାରୁ ୩.୧୪୦୮ ମଧ୍ୟରେ ରହେ । ସେ ମଧ୍ୟ ପ୍ରମାଣ କରିଥିଲେ ଯେ ବୃତ୍ତର କ୍ଷେତ୍ରଫଳ π ଗୁଣନ ବ୍ୟାସାର୍ଦ୍ଧର ବର୍ଗ । ସେ ପ୍ରମାଣ କରିଥିଲେ ଯେ ପାରାବୋଲାର କ୍ଷେତ୍ରଫଳ, ସରଳରେଖା ଦ୍ଵାରା ୪/୩ରେ ଗୁଣନ କରାଯାଏ ତେବେ ସମାନ ବେସ ଏବଂ ଉଚ୍ଚତାର ତ୍ରିଭୁଜର କ୍ଷେତ୍ରଫଳ ସହିତ ସମାନ ।

ଆର୍କ୍‌ମିଡ଼ିସ୍‌ ବିଶ୍ଵବ୍ରହ୍ମାଣ୍ଡର ଧୂଳିକଣାର ସଂଖ୍ୟା କେତେ ଏହାକୁ ଗଣନା କରିବାକୁ ଆଗେଇ ଆସିଲେ । ସେ କହିଲେ ଧୂଳିକଣାର ସଂଖ୍ୟା ଅନନ୍ତ ଯାହାକି ଗଣି ହେବନାହିଁ । ତେବେ ଏହି କଠିନ ପ୍ରଶ୍ନକୁ ସମାଧାନ କରିବାକୁ ଯାଇ ଆର୍କ୍‌ମିଡ଼ିସ୍‌, ମିରିଆଡ଼ (myriad) ତଥ୍ୟ ଉପରେ ଆଧାରିତ ଗଣନା ପ୍ରଣାଳୀ ବାହାର କଲେ । ଏହା ଏକ ଗ୍ରୀକ ଶବ୍ଦ "ମୁ୍ୟରିଅସ"ରୁ ଆନୀତ । ସେ ଅନ୍ୟ ଏକ ଗଣନା ପ୍ରଣାଳୀ ସଂଖ୍ୟା ୧୦,୦୦୦ ମଧ୍ୟ ପ୍ରସ୍ତାବିତ କରିଥିଲେ। ସେ ଅନୁସାରେ ସମଗ୍ର ବିଶ୍ଵକୁ ଯେଉଁ ଧୂଳିକଣାରେ ପୂର୍ଣ୍ଣ କରିହେବ ତାର ସଂଖ୍ୟା ୮×୧୦୬୩ । ଏହା ପ୍ରାୟ ଆଠ ଭିଜିନଟିଲିୟନସ (vigintillions)।

ଲେଖା[ସମ୍ପାଦନା]

ଆର୍କମିଡ଼ିସଙ୍କ ରଚିତ ଲେଖାଗୁଡ଼ିକ ଇଉକ୍ଲିଡ (Euclid)ଙ୍କ ଲେଖାପରି ଅନେକ ସମୟ ଧରି ତିଷ୍ଠି ରହିପାରିଲା ନାହିଁ । ତାଙ୍କର ୭ଟି ଲେଖା କେବଳ ଅନ୍ୟ ଲେଖକଙ୍କ ଲେଖାରେ ଉଲ୍ଲିଖିତ ହୋଇ ରହିଅଛି । ଆଲେକଜାଣ୍ଡ୍ରିୟାର ପାପସ ଗୋଲକ ନିର୍ମାଣ ବିଷୟରେ ସୂଚାଇଛନ୍ତି ଏବଂ ପଲିହେଡ୍ରା (Polyhedra) ବିଷୟରେ ଲେଖିଛନ୍ତି । ଆଲେକଜାଣ୍ଡ୍ରି ଆରଥିଓରନ ନିର୍ଦ୍ଦିଷ୍ଟ ଲୁପ୍ତପ୍ରାୟ କାଟୋପ୍ରିକା (Catoprica)ରୁ ପରି ସରଣ ବିଷୟରେ ଲେଖିଥିଲେ । ନିଜ ଜୀବନକାଳ ମଧ୍ୟରେ ସେ ଆଲେକଜାଣ୍ଡ୍ରିଆରେ ରହୁଥିବା କିଛି ଗଣିତଜ୍ଞଙ୍କ ସହ ଭାବର ଆଦାନପ୍ରଦାନ କରି ଥିଲେ । ତାଙ୍କ ଲେଖାଗୁଡ଼ିକ ବାଇଜାଣ୍ଟାଇନ ସ୍ଥପତି ମିଲେଟସର ଇସିଡୋରଙ୍କ ଦ୍ଵାରା ୫୩୦ ରେ ସଂଗୃହୀତ ହୋଇଥିଲା । ଆର୍କ୍‌ମିଡ଼ିସ୍‌ଙ୍କ ଏହି କାମ ଗୁଡ଼ିକ ଇଟୋସିୟସ (Eutocius) ଷଷ୍ଠ ଶତାବ୍ଦୀରେ ବହୁ ଲୋକଙ୍କୁ ଜଣାଇ ଦେଇଥିଲେ । ତାଙ୍କ କାମର ଅନୁବାଦ ଆରବି ଭାଷାକୁ କରିଥିଲେ ଥାବିଟ ଇବନ କୁ୍ୟରା (Thabit Ibn Qurra -୮୩୬ ରୁ ୯୦୧ ଖ୍ରୀଷ୍ଟାବ୍ଦ) ଏବଂ ଲାଟିନ ଭାଷାକୁ କରିଥିଲେ ଗେରାଡ ଅଫ କ୍ରୋମୋନା (Gerard of Cremona) ୧୧୧୪ ରୁ ୧୧୮୭ ଖ୍ରୀଷ୍ଟାବ୍ଦ ଭିତରେ । ରେନେସାଁ ସମୟରେ ଏଡିସିଓ ପ୍ରିନସେପସ (Editio Princeps) ପ୍ରଥମ ପ୍ରକାଶନ ହୋଇଥିଲା ବେସଲ (Basel) ରେ ୧୫୪୪ ରେ ଯୋହନ ହରବ଼ାଗନଙ୍କ ଦ୍ଵାରା ( Johann Herwagen) । ତା ସହିତ ଆର୍କ୍‌ମିଡ଼ିସ୍‌ଙ୍କର ଗ୍ରୀକ ଏବଂ ଲାଟିନରେ ଲେଖିଥିବା ଅନେକ ବହି ଲାଟିନରେ ଛପା ହୋଇଥିଲା । ପ୍ରାୟ ୧୫୮୬ ସାଲରେ ଗାଲିଲିଓ (Galileo) ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଉତପ୍ଲାବନ ତରାଜୁ (hydrostatic balance) ଉଦ୍ଭାବନ କରିଥିଲେ, ଯାହାଦ୍ଵାରା ବାୟୁମଣ୍ଡଳ ଓ ପାଣିରେ ଥିବା ଧାତୁର ଓଜନ ମାପି ନିର୍ଣ୍ଣୟ କରିପାରିଥିଲେ ।

ଆର୍କ୍‌ମିଡ଼ିସ୍‌ ଭାରଦଣ୍ଡ ପ୍ରଣାଳୀ ଉପରେ ଦୁଇଟି ଅଧ୍ୟାୟ ଲେଖିଥିଲେ । ପ୍ରଥମଟିରେ ୧୫ଟି ଦୃଢ଼ ଘୋଷଣା ସହିତ ସାତଟି ସ୍ଵତଃସିଦ୍ଧ ପ୍ରମାଣ ଓ ଦ୍ଵିତୀୟ ପୁସ୍ତକରେ ଦଶଟି ଦୃଢ଼ ଘୋଷଣାନାମା ଅଛି । ଏହି କାର୍ଯ୍ୟରେ ସେ ଭାରଦଣ୍ଡର ନିୟମର ଅର୍ଥ ବୁଝାଇ ଦେଇଥିଲେ । ଆର୍କ୍‌ମିଡ଼ିସ୍‌ ଏସବୁ ନିୟମ ବ୍ୟବହାର କରି ବିଭିନ୍ନ ଜ୍ୟାମିତିକ କ୍ଷେତ୍ର ତ୍ରିଭୁଜ, ପାରାବୋଲା ଏବଂ ଅର୍ଦ୍ଧ ଗୋଲକର କ୍ଷେତ୍ରଫଳ ଓ ମାଧ୍ୟାକର୍ଷଣ କେନ୍ଦ୍ର ନିର୍ଦ୍ଧାରଣ କରିଥିଲେ।

ଆର୍କ୍‌ମିଡ଼ିସ୍‌ଙ୍କ ଗୃହପାଳିତ ପଶୁର ସମସ୍ୟା ଉପରେ ଗୋଟହୋଲଡ ଇଫ୍ରାଇମ ଲେସିଙ୍ଗ (Gotthold Ephraim Lessing) ୪୪ ଧାଡ଼ିର ଏକ ବକ୍ତୃତା ଆବିଷ୍କାର କରିଥିଲେ । ଏହା ଜର୍ମାନୀର ବ଼ଲଫେ ନବୁଟେଲ (Wolfenbuttel)ର ହେରଯୋଗ ଅଗଷ୍ଟ ପାଠାଗାର ( Herzog August Library)ରୁ ୧୭୭୩ରେ ମିଳିଥିଲା । ଏହା ଏରାଟୋସ୍ଥେନିସ (Eratosthenes) ଏବଂ ଆଲେକଜାଣ୍ଡ୍ରିଆର ଗଣିତଜ୍ଞମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା । ସେ ଗୃହପାଳିତ ପଶୁଙ୍କର ଏକତ୍ର କରି ଗଣନା କରି ସଂଖ୍ୟାକୁ କେତେଗୁଡ଼ିଏ ଏକକାଳୀନ ଡାଇଓଫାଣ୍ଟିନ (Simultaneous Diophantine) ସମୀକରଣରେ ପ୍ରକାଶ କରିଥିଲେ । ସେ ସୌରକୈନ୍ଦ୍ରିକ (heliocentric) ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ସିଦ୍ଧାନ୍ତ ବିଷୟରେ ସୂଚନା ଦେଇଥିଲେ । ଆହୁରି ମଧ୍ୟ ପୃଥିବୀର ଆକାର ଏବଂ ବିଭିନ୍ନ ମହାକାଶୀୟ ପିଣ୍ଡମାନଙ୍କ ମଧ୍ୟରେ ଥିବା ଦୂରତା ବିଷୟରେ ଉଲେ୍ଲଖ କରିଥିଲେ । ଅସଂଖ୍ୟତାର ଶକ୍ତି ଉପରେ ଆଧାରିତ ଏକ ଗଣନା ପ୍ରଣାଳୀ ଦ୍ଵାରା ସେ ସୂଚାଇଥିଲେ ଯେ ବିଶ୍ଵବ୍ରହ୍ମାଣ୍ଡକୁ ପୂରଣ କରିବାକୁ ବ୍ୟବହୃତ ବାଲିର ପରିମାଣ ଆଧୁନିକ ସଙ୍କେତ ଦ୍ଵାରା ପ୍ରକାଶ କଲେ ଏହା ୮×୧୦ ୬୩ ହେବ ।

ଆଧାର[ସମ୍ପାଦନା]

  1. http://orissabigyanacademy.nic.in/pdf/Bigyan_Diganta-March-2012.pdf Monthly Odia magazine "Bigyan Diganta"(March,2012 )

ଅଧିକ ତଥ୍ୟ[ସମ୍ପାଦନା]