ଅମ୍ଳ ବୃଷ୍ଟି

ଉଇକିପିଡ଼ିଆ ରୁ

ଆରମ୍ଭରୁ ମଣିଷର ପେଟକୁ ମୁଠାଏ ଦାନା ମିଳି ଗଲେ ବେଶ୍ ଆରାମରେ ଦିନଟା ସରୁଥିଲା । ଧୀରେ ଧୀରେ ଆଧୁନିକତା ନାମରେ ମଣିଷର ଅଭାବ ବଢ଼ି ବଢ଼ି ଚ଼ାଲିଲା । ନିଜର ଅସରନ୍ତି ଅଭାବକୁ ପୂରଣ କରିବାକୁ ଯାଇ ଯେଉଁ ସବୁ ପ୍ରୟାସ ଆରମ୍ଭ ହେଲା, ତା' ଭିତରୁ ଶିଳ୍ପବିପ୍ଳବ ଅନ୍ୟତମ । କିନ୍ତୁ, ମଣିଷର ଜାଣତରେ ହେଉ ବା ଅଜାଣତରେ ଏହି ବିପ୍ଳବ ଆମର ସନ୍ତୁଳିତ ପରିବେଶକୁ ନଷ୍ଟ କରିବାକୁ ଆରମ୍ଭକଲା । କେତେକ ଅଞ୍ଚଳରେ ଗଛଲତା ଆପେ ମରିବାକୁ ଲାଗିଲେ, ମାଟିର ଉର୍ବରତା କମିଗଲା, ମାଛଗୁଡ଼ିକ ଆପେ ଆପେ ମରିବାକୁ ଲାଗିଲେ ଓ ଏମିତି କେତେ କଅଣ । ଗବେଷଣାରୁ ଜଣା ପଡ଼ିଲା ଯେ ଏହି ପ୍ରକାରର କ୍ଷୟକ୍ଷତି ପାଇଁ ଏକ ବିଶେଷ ଜାତିର ବୃଷ୍ଟି ହିଁ ଦାୟୀ । ବର୍ତ୍ତମାନ ସେହି ବୃଷ୍ଟିକୁ 'ଅମ୍ଳବୃଷ୍ଟି' (ଏସିଡ୍ ରେନ୍) ବୋଲି କୁହାଯାଉଛି । ୧୮୭୨ ମସିହାରେ ରବର୍ଟ ଆଙ୍ଗୁସ୍ ସ୍ମିଥ୍ ନାମକ ଜଣେ ଇଂରେଜ ଜଳବାୟୁ ବିଶେଷଜ୍ଞଙ୍କ ଦ୍ବାରା 'ଏସିଡ୍ ରେନ୍' ଶବ୍ଦର ଆରମ୍ଭ ହୋଇଥିଲା । ମାଞ୍ଚେଷ୍ଟର୍ (ଇଂଲଣ୍ଡ) ଅଞ୍ଚଳରେ ହେଇଥିବା କ୍ଷୟକାରୀ ବୃଷ୍ଟିର ବର୍ଣ୍ଣନା କରିବା ପରିପ୍ରେକ୍ଷୀରେ ଏହି ଶବ୍ଦର ବ୍ୟବହାର କରାଯାଇଥିଲା ।

ଅମ୍ଳ, କ୍ଷାର ଓ ପି.ଏଚ୍.[ସମ୍ପାଦନା]

କେତେକ ଦ୍ରବଣକୁ ଜିଭରେ ଲଗେଇ ଚ଼ାଖିଲେ ଖଟା ଲାଗେ, ଆଉ କେତେକ ତିକ୍ତ ଲାଗେ । କେତେକର କିଛି ସ୍ବାଦ ନଥାଏ, ପୁଣି କେତେକର ସ୍ବାଦକୁ ବର୍ଣ୍ଣନା କରିବା ଆମ ପାଇଁ କଷ୍ଟକର ହୁଏ । ତେବେ ରସାୟନ ବିଜ୍ଞାନୀମାନେ ଦ୍ରବଣକୁ ମୁଖ୍ୟତଃ ଅମ୍ଳୀୟ ଓ କ୍ଷାରୀୟ ଏଇ ଦୁଇଟି ଢଙ୍ଗରେ ଦେଖନ୍ତି । ଗୋଟିଏ ଦ୍ରବଣର ଅମ୍ଳତା ଓ କ୍ଷାରତାର ପରିମାଣକୁ 'ପି.ଏଚ୍.' ମୂଲ୍ୟରେ ମପାଯାଏ । ଫ୍ରାନ୍ସର ଶବ୍ଦଗୁଚ୍ଛ 'ପାଉଭୟେର୍ ହାଇଡ୍ରୋଜିନ୍'ରୁ ଏହି 'ପି.ଏଚ୍.' ସଂକ୍ଷୀପ୍ତଶବ୍ଦଟି ନିଆଯାଇଛି । ଏହି ମୂଲ୍ୟ ଏକ ଦ୍ରବଣରେ ଉଦ୍ଜାନ ଆୟନର ଘନତା ସହିତ ଜଡ଼ିତ । ୨୨ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ଶୁଦ୍ଧ ପ୍ରାକୃତିକ ଜଳର 'ପି.ଏଚ୍.'ର ମୁଲ୍ୟ ୭ ନିଆଯାଏ । କୌଣସି ଦ୍ରବଣର 'ପି.ଏଚ୍.' ମୂଲ୍ୟ ୭ ଠାରୁ କମ୍ ହେଲେ ତାହାକୁ ଅମ୍ଳ ଓ ବେଶି ହେଲେ କ୍ଷାର ବୋଲି କୁହାଯାଏ । ଯଦିଓ ସାଧାରଣ ବ୍ୟବହାର୍ଯ୍ୟ ଜଳର 'ପି.ଏଚ୍.' ମୂଲ୍ୟ ୭ ରହିବାକଥା, ତଥାପି ଏହା ହୋଇ ପାରେନାହିଁ । ଏହାର କାରଣ ପ୍ରାକୃତିକ ଉପାୟରେ ଜଳ ସହିତ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ମିଶି ଦୁର୍ବଳ କାର୍ବୋନିକ୍ ଅମ୍ଳ ତିଆରି କରିଥାଏ । ଏହି ଦ୍ରବଣ ଜଳରେ ମିଶିବା ଫଳରେ ଜଳର ଅମ୍ଳତା ହ୍ରାସ ପାଇ ସାଧାରଣତଃ ୫.୬ ପି.ଏଚ୍. ରହିଥାଏ । ସେଥିପାଇଁ ସାଧାରଣ ବର୍ଷାଜଳର ଅମ୍ଳତାକୁ ସେହି ୫.୬ ପି.ଏଚ୍. ମୂଲ୍ୟରେ ସୀମିତ ରଖାଯାଏ । ତେଣୁ, ପ୍ରଦୂଷିତ ପରିବେଶରେ ସୃଷ୍ଟି ହେଉଥିବା ବର୍ଷାଜଳର ପି.ଏଚ୍. ମୂଲ୍ୟ ୫.୬ ରୁ କମି ଗଲେ, ସେହି ବୃଷ୍ଟିକୁ 'ଅମ୍ଳବୃଷ୍ଟି' କୁହାଯାଏ ।

ପ୍ରଦୂଷଣ ଓ ଅମ୍ଳବୃଷ୍ଟି[ସମ୍ପାଦନା]

ଉପରୋକ୍ତ ଆଲୋଚ଼ନାରୁ ଜଣାପଡ଼ିଲା, ବର୍ଷାରେ ଆସୁଥିବା ଜଳର ଅମ୍ଳତା ବୃଦ୍ଧି ପାଇଲେ ତାହା ଅମ୍ଲବୃଷ୍ଟିର ରୂପନିଏ । ପ୍ରଦୂଷିତ ବାୟୁମଣ୍ଡଳ ହିଁ ବାଦଲରେ ରହିଥିବା ଜଳକଣାର ଏହି ଅମ୍ଳତା ବୃଦ୍ଧିରେ ସହାୟତା କରିଥାଏ । ବାୟୁମଣ୍ଡଳକୁ ଦୂଷିତ କରିବାରେ ଆମର ପ୍ରତ୍ୟକ୍ଷ ହାତ ରହିଛି । ପେଟ୍ରୋଲ୍, କୋଇଲା ଓ ପ୍ରାକୃତିକ ଗ୍ୟାସ୍ ଭଳି ଜୀବାଶ୍ମ ଜାଳେଣି ଜଳିବା ସମୟରେ ଇନ୍ଧନରେ ରହିଥିବା ସଲ୍ଫର୍, ନାଇଟ୍ରୋଜେନ୍ ଓ କାର୍ବନ୍ ଇତ୍ୟାଦି ବାୟୁମଣ୍ଡଳର ଅମ୍ଳଜାନ ସହିତ ମିଶି ଅନେକ ପ୍ରକାରର ଅକ୍ସାଇଡ୍ ସୃଷ୍ଟି କରନ୍ତି, ଯାହାକି ବାୟୁକୁ ପ୍ରଦୂଷିତ କରିଥାଏ । ଇନ୍ଧନ ଜଳିବା ଫଳରେ ସେଥିରୁ ସଲ୍ଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ନିର୍ଗତ ହୁଏ । ଆଗ୍ନେୟଗିରିରୁ ଅଗ୍ନି ଉଦ୍ଗିରଣ ସମୟରେ ତଥା ତୈଳ ବିଶୋଧନ ଏବଂ ତାପଜ ବିଦୁତ୍ କେନ୍ଦ୍ରଗୁଡ଼ିକରୁ ମଧ୍ୟ ପ୍ରଚୁର ପରିମାଣର ସଲ୍ଫର୍ ଡାଇଅକ୍ସାଇଡ୍ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶିଥାଏ । ଏବେବି ଏକାଧିକ ରାଷ୍ଟ୍ର ବିଦୁ୍ୟତ୍ ଶକ୍ତି ଉତ୍ପାଦନ ପାଇଁ କୋଇଲା ଓ ଜାଳେଣି ତୈଳ ଉପରେ ନିର୍ଭରଶୀଳ । ସେହିପରି ମୋଟର୍ ଗାଡ଼ିର ବହୁଳ ପ୍ରଚ଼ଳନ ସିଧା ସଳଖ ବାୟୁମଣ୍ଡଳରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ପରିମାଣ ବୃଦ୍ଧି କରାଇବାରେ ସହାୟତା କରେ । ସଲ୍ଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ସହିତ ଜଳକଣାଗୁଡ଼ିକ ଜଟିଳ ରାସାୟନିକ ପ୍ରକ୍ରିୟା ପୂର୍ବକ ସଫୁ୍ୟରିକ୍ ଅମ୍ଳ ଓ ନାଇଟ୍ରିକ୍ ଅମ୍ଳ ପରି ବିଷାକ୍ତ ପ୍ରଦୂଷକମାନ ତିଆରି କରନ୍ତି । ଏହିଭଳି ଅମ୍ଳୀୟ ପରିବେଶରେ ବାଦଲ କିମ୍ବା କୁହୁଡ଼ି ସୃଷ୍ଟି ହେଲେ, ସେଗୁଡ଼ିକ ମଧ୍ୟ ଅମ୍ଳୀୟ ଧର୍ମୀ ହୋଇଥାଏ । ସେହି ବାଦଲରୁ ବୃଷ୍ଟିପାତ ହେଲେ ବା କୁଆପଥର ଖସିଲେ ତାହାର ପି.ଏଚ୍. ମୂଲ୍ୟ ୫.୬ ଅଙ୍କରୁ ଆହୁରି କମ୍ ରହିଥାଏ । ଅମ୍ଳୀୟ ଜଳକଣାରୁ ତିଆରି ଏହି ବର୍ଷାକୁ ଅମ୍ଳବର୍ଷା କୁହାଯାଏ ।

ଆଧାର[ସମ୍ପାଦନା]