ସାଧବ ବୋହୂ

ଉଇକିପିଡ଼ିଆ‌ରୁ
(ସାଧବ ବୋହୁରୁ ଲେଉଟି ଆସିଛି)

ସାଧବ ବୋହୂ
ପତ୍ର ଉପରେ ସାଧବ ବୋହୁ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Arthropoda
ଉପସଙ୍ଘ: Chelicerata
ବର୍ଗ: Arachnida
ଉପବର୍ଗ: Acari
ଗଣ: Trombidiformes
ଅଧିକୁଳ: Trombidioidea
କୁଳ: Trombidiidae

ସାଧବ ବୋହୂ ଏକ ନାଲି ରଙ୍ଗର ଛୋଟ ସନ୍ଧିପଦ ପୋକ । ଏହା ଓଡ଼ିଶାର ଗଣ ପର୍ବ ରଜରେ ପୂଜା କରାଯାଇଥାଏ । ସାଧାରଣତଃ ବର୍ଷାଦିନେ ଏଗୁଡିକ ବୁଦାଳିଆ ଅଞ୍ଚଳରେ ଦେଖାଯାଏ । ରଜ ସଙ୍କ୍ରାନ୍ତି ଦିନ କୁଆଁରୀ ଝିଅମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ନିମନ୍ତେ ପୂଜା କରିଥାନ୍ତି ।

ଶାରୀରିକ ଗଠନ[ସମ୍ପାଦନା]

ଏହି ପୋକର ରଙ୍ଗ ଗାଢ ସିନ୍ଦୂର ରଙ୍ଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିନ୍ଧି ସିନ୍ଦୂର ଲଗାଇଥିବା ଭଳି ଦିଶେ । ସେଥିପାଇଁ ଓଡ଼ିଆରେ ଏହାକୁ ସାଧାବ ବୋହୂ କୁହାଯାଏ[୧] । ଏହି ଅମେରୁଦଣ୍ଡୀ[୨] ସନ୍ଧିପଦ ପ୍ରାଣୀ "ଆରକ୍ନିଡା" ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଙ୍କଡାବିଚ୍ଛା ତଥା ରାମଲେଖନୀ କଙ୍କଡା ଶ୍ରେଣୀଭୁକ୍ତ ହୋଇଥାନ୍ତି । ଏହାର ଆଠଟି ଗୋଡ଼ ଥାଏ । ଏହାର ଶରୀର ଉପର ଭାଗଟି ଭେଲଭେଟ କନା ପରି ଚିକ୍କଣ ହୋଇଥିବାରୁ ଇଂରାଜୀ ଭାଷାରେ ଏହା ରେଡ଼ ଭେଲଭେଟ ମାଇଟ ବୋଲି ନାମିତ ହୋଇଥାଏ [୩]

ମାଈ ସାଧବ ବୋହୂଗୁଡ଼ିକ ଅଣ୍ଡିରା ସାଧବ ବୋହୂଙ୍କ ତୁଳନାରେ ଅଧାଅଧି ଆକାର ହୋଇଥାନ୍ତି। ପ୍ରାପ୍ତ ବୟସ୍କ ଏକ ସାଧବ ବୋହୂ ପ୍ରାୟ ଏକ ସେଣ୍ଟିମିଟର ଦୈର୍ଘ୍ୟ ଯାଏଁ ବଢିଥାନ୍ତି । ଏମାନଙ୍କ ମୁହଁରେ ଏପରି ଅଙ୍ଗପ୍ରତ୍ୟଙ୍ଗ ଯୋଡି଼ ହୋଇଥାଏ ଯାହା ଗଛପତ୍ରରୁ ରସ ଶୋଷିବା ତଥା ପତ୍ର କାଟିବା କାର୍ଯ୍ୟରେ ଲାଗିଥାଏ । ଗୋଡଗୁଡ଼ିକ ମାଟି ତାଡି଼ବା ତଥା ଠେଲାପେଲା କାମରେ ଲାଗିଥାଏ ।

ଯେତେବେଳେ ଏମାନେ ଅଣ୍ଡାରୁ ଜନ୍ମ ହୋଇଥାନ୍ତି, ସେତେବେଲେ ସେମାନଙ୍କ ରଙ୍ଗ ଫିକା ନାଲି ରଙ୍ଗ ଥାଏ ଓ ପରେ ଧିରେ ଧିରେ ଗାଢ ନାଲି ରଙ୍ଗ ଆସିଥାଏ ।

ପରିବେଶ[ସମ୍ପାଦନା]

କେବଳ ବର୍ଷାଋତୁ ଆରମ୍ଭରେ ଏମାନେ ଦିନ ବେଳା ଘାସ ଉପରେ ଦେଖାଯାଇଥାନ୍ତି । ଏମାନେ ସାଧରଣତଃ ଜଙ୍ଗଲିଆ ବାଲିଆ ମାଟିରେ ରହନ୍ତି । ବର୍ଷର ଅଧିକାଂଶ ସମୟ ଏମାନେ ମାଟି ତଳେ ରୁହନ୍ତି ଓ ବର୍ଷା ହେଲେ ବାହାରକୁ ଆସନ୍ତି । ସେତିକି ବେଳେ ଏମାନେ ଖାଦ୍ୟ ଖୋଜନ୍ତି ଓ ପ୍ରଜନନ କରିଥାନ୍ତି ।

ବଂଶ ବିସ୍ତାର[ସମ୍ପାଦନା]

ସାଧବବୋହୂ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ । ମାଟିରେ ମିଶି ରହିଥିବା ସାଧବବୋହୂର ଅଣ୍ଡା ବର୍ଷା ଜଳ ଓ ଅନୁକୂଳ ତାପମାତ୍ରାରେ ମିଳିଲେ ଛୁଆ ଫୁଟେ । ବର୍ତ୍ତମାନ ଅନୁକୂଳ ପରିବେଶର ଅଭାବ ଯୋଗୁଁ ଏମାନଙ୍କ ବଂଶ ବିସ୍ତାର ହୋଇ ପାରୁନାହିଁ । ଏମାନେ ବର୍ଷକୁ ଥରେ ଅଣ୍ଡା ଦେଇଥାନ୍ତି । ସ୍ୱଳ୍ପ ମାତ୍ରାରେ ଅଣ୍ଡାଦେବା ଏମାନଙ୍କ ବିଲୁପ୍ତିର ଅନ୍ୟ କାରଣ ଭାବରେ ବିବେଚନା କରାଯାଏ ।

ଔଷଧିଅ ଗୁଣ[ସମ୍ପାଦନା]

ସାଧବବୋହୂର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ମୃତ ସାଧବବୋହୂକୁ ଖରାରେ ଶୁଖାଇ ଛତିଶଗଡ଼ ରାଜ୍ୟର ଲୋକେ ଏକ ତେଲ ପ୍ରସ୍ତୁତ କରନ୍ତି। ଯାହା ପକ୍ଷାଘାତ ରୋଗ ପାଇଁ ଧନ୍ବନ୍ତରୀ ଔଷଧ ଭାବରେ ବିବେଚନା କରାଯାଏ ।[୪]

ଆଧାର[ସମ୍ପାଦନା]

  1. "ଲାଲ୍‍ ଟୁକୁଟୁକୁ ସାଧବ ବୋହୂ". ସମ୍ବାଦ ରବିବାର ପତ୍ରିକା. 17-06-2018. {{cite news}}: Check date values in: |date= (help)
  2. "What Are Mites? The Red Velvet Mite (Trombidiidae)". Owlcation. Retrieved 24 June 2018.
  3. "Trombidium holosericeum". ଇଂରାଜୀ ଉଇକିପିଡ଼ିଆ. Retrieved 24 June 2018.
  4. "ଆଉ ଅଛନ୍ତି ତ ସାଧବବୋହୂ!". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 June 2023. Retrieved 30 June 2023.