ପଖାଳ

ଉଇକିପିଡ଼ିଆ‌ରୁ
ପଖାଳ
ଉଇକି ଲଭସ ଫୁଡ଼ - ଏକ ଆନ୍ତର୍ଜାତିକ ସ୍ତରର ଖାଦ୍ୟ ଫଟୋ ଅପଲୋଡ଼ ପ୍ରତିଯୋଗିତାରେ ଶେଷ ପର୍ଯ୍ୟାୟକୁ ଉନ୍ନିତ ହୋଇଥିବା ପଖାଳ ଭାତର ଫଟୋ ।
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଗରମ ପଖାଳ, ଜିରା ପଖାଳ, ବାସି ପଖାଳ
ବାଢ଼ିବାର ତାତିଥଣ୍ଡା, ଗରମ
ମୂଳ ଉପାଦାନଭାତ
ଓଡ଼ିଶାରେ ତିଆରି ପଖାଳ ।

ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ ।[୧] ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ ।[୨] ସାଧାରଣତଃ ଖରାବେଳେ ବା ଉପରଓଳି ପଖାଳ ଖିଆଯାଏ । ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ନାମିତ କରାଯାଇଛି ।

ନାମକରଣ ଓ ନିରୁକ୍ତି[ସମ୍ପାଦନା]

ପଖାଳ ଓଡ଼ିଆ ଶବ୍ଦ "ପଖାଳିବା/ପଖାଳିତ"ରୁ ଆସିଛି ଯାହାର ଅର୍ଥ ଧୋଇବା । ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ଏମିତି ହୋଇଛି । ସଂସ୍କୃତରେ ଧୋଇବାକୁ ପ୍ରକ୍ଷାଳନ କୁହାଯାଇଥାଏ । ଭାତକୁ ଜଳରେ ଧୋଇଦେଲେ ତାହା ପଖାଳ ହୋଇଯାଏ । ଅର୍ଜୁନ ଦାସଙ୍କ କବିତା ସଙ୍କଳନ କଳ୍ପଲତା (୧୫୨୦-୧୫୩୦)ରେ ପଖାଳ ଶବ୍ଦଟି ବହୁବାର ବ୍ୟବହୃତ ହୋଇଛି।

ଅନ୍ୟ ରାଜ୍ୟରେ ପଖାଳ[ସମ୍ପାଦନା]

ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାରଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କହନ୍ତି । [୩] ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପରଷା ଯାଏ ।

ପରମ୍ପରା[ସମ୍ପାଦନା]

  • ତ୍ରିପିଟକର ମଝିମ ନିକାୟ ଅନୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି 'ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର ସେ' । ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା ।
  • ଖ୍ରୀ.ଅ. ୬୦୦ଠାରୁ ୧୨୦୦ ପର୍ଯ୍ୟନ୍ତ[ଆଧାର ଲୋଡ଼ା] ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ବିରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇ ଅଛି । ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ (ଖ୍ରୀଅ ପଂଚଦଶ ଶତାଦ୍ଦୀରେ) ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଅଧିକ ଜନପ୍ରିୟ ହୋଇଥିଲା । ଏଇ ସମାନ ଖାଦ୍ୟଟି ବଂଗଳାରେ ସମାନ ସମୟରେ ପ୍ରଚଳିତ ଥିଲା ।
  • ମହାପ୍ରଭୁଙ୍କ ମହାପ୍ରସାଦରେ ପଖାଳ ଅନ୍ତର୍ଭୁକ୍ତ ।

ପ୍ରକାର ଭେଦ[ସମ୍ପାଦନା]

  • ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ ।

ଏହାକୁ ଭୃସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ ।

  • ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ । ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ୟ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ବୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ ।
  • ଜିରା ପଖାଳ: ଜିରା, ଭୃସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଇଥାଏ ।[୪][୫][୬]
  • ଦହି ପଖାଳ: ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ ।[୭]
    ପଖାଳ ସହ ଆମ୍ବ, ଆଳୁଚକଟା ଓ ଛତୁ ତାଟିଆବସା
  • ଚାଇଁ ପଖାଳବା ଗରମ ପଖାଳ : ଏହା ସଜ ଭାତରେ ଗରମ ନ ଛାଡ଼ୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଇଥାଏ । ଏଥିରେ ଗାଈ କ୍ଷୀର ବା ମିଇଁଷି ଘିଅ ପକାଇ ମଧ୍ୟ କେହି କେହି ଖାଇଥାନ୍ତି।
  • ଟଭା ପଖାଳ
  • ଅଦା ପଖାଳ
  • କଞ୍ଚାଆମ୍ବ ପଖାଳ
  • କାକୁଡ଼ିକୋରା ପଖାଳ
  • ବଡ଼ି ପଖାଳ

ସହ-ଖାଦ୍ୟ[ସମ୍ପାଦନା]

ପଖାଳ ସହ ବଡ଼ିଚୁରା ଓ ଭଜା ତଥା ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ । ରସୁଣ, ଲଙ୍କାପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ । ବିଭିନ୍ନ ପ୍ରକାରର ପତର ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ । ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ । ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବା ନସା ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ ।

କାଞ୍ଜି ପାଣି[ସମ୍ପାଦନା]

କାଞ୍ଜି

ମାଟି ହାଣ୍ଡିରେ ପଖାଳକୁ ବାସି କରି ତା’ର ତୋରାଣିରୁ ପ୍ରସ୍ତୁତ କାଞ୍ଜିକୁ ହାଣ୍ଡି କାଞ୍ଜି ବୋଲି କହିଥାନ୍ତି। ଏହା ଭେଣ୍ଡି, ବୁଢ଼ା ବାଇଗଣ ବା କାକୁଡ଼ି, ଭୃସଙ୍ଗ ପତ୍ର ଓ ପଞ୍ଚୁ ଫୁଟଣ ଦେଇ ଛୁଙ୍କ କରାଯାଏ । ଏହା ଔଷଧୀୟ ଗୁଣ ଯୁକ୍ତ ।

ଓଡ଼ିଆ ଚଳଣିରେ[ସମ୍ପାଦନା]

ଶ୍ରୀମନ୍ଦିରରେ[ସମ୍ପାଦନା]

ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ । ଉଷୁନା ପଖାଳ ଓ ଅରୁଆ ପଖାଳ ମଧ୍ୟରୁ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି । ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି । ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ । ଅଦା ପକାଯାଇ ଚୁପୁଡ଼ା ପଖାଳ, ଟଭାରେ ଟଭା ପଖାଳ, ଜିରା, ଅଦା ଓ ମସଲାଦ୍ୱାରା ପ୍ରସୂତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ । ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।[୮] ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ । ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

ଛପନ ଭୋଗରେ[ସମ୍ପାଦନା]

ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ୭.୦୦ରୁ ୮.୦୦ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ ।

ପାଣି ପଖାଳ:୨୩ ଓଳି
ଚିପୁଡ଼ା ପଖାଳ: ୧୪ ଓଳି

ପର୍ବପର୍ବାଣିରେ[ସମ୍ପାଦନା]

  • ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ମଧ୍ୟ ରହିଛି ।
  • ପଶ୍ଚିମ ଓଡ଼ିଶାର ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି ।
  • ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ ।

ଲିଙ୍ଗରାଜ ମନ୍ଦିରରେ[ସମ୍ପାଦନା]

ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଏ ।

ଓଡ଼ିଶା ଇତିହାସରେ[ସମ୍ପାଦନା]

୧୯୩୪ ମସିହାରେ ଗାନ୍ଧୀଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନ ଭୋଜନପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ । ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, "ଓଡ଼ିଶାର ଲୋକ ଠିକ ଜାଣିଛନ୍ତି ଖାଦ୍ୟର ସଦବ୍ୟବହାର" ।[୯]

ଔଷଧୀୟ ଗୁଣ[ସମ୍ପାଦନା]

ପଖାଳ ପିତ୍ତ ନାଶକ । ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ । ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ ।[୧୦] ପିତ୍ତ ରୋଗ ବିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ । ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ । କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ । ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ ।

ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ି ଯାଇଥାଏ । ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ । [୧୧]

ଜଣାଶୁଣା ସଂସ୍କୃତିରେ[ସମ୍ପାଦନା]

ଲୋକଗୀତ[ସମ୍ପାଦନା]

  • ଝିଅ ଶାଶୁ ଘରକୁ ଯିବା ଆଗରୁ ଶାଶୁଘରେ ପଖାଳଖିଆ ବନ୍ଦ ହୋଇ ଯିବାର ଆଶଙ୍କା କରି ବାହୁନିଥାଏ -

ପାହାନ୍ତା ପଖାଳ ସପନ ହେବ ଲୋ ମୋ ମାଆରାଣୀ
ବାଳ ବାନ୍ଧିବାକୁ ତେଲ ନ ଥିବ ଲୋ ମୋ ମାଆରାଣୀ ॥

  • ଝିଅ ଶାଶୁ ଘରକୁ ଯିବା ଆଗରୁ ତାକୁ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା କନିଆଁ ଡାକରା ବା ତୋରାଣି ପିଆପାଇଁ ଡାକିଥାନ୍ତି। ଝିଅଟିର ଅନ୍ତର୍ବେଦନାକୁ ପ୍ରତିଫଳିତ କରେ ଏଇ କାନ୍ଦଣା ଗୀତ-

ଦେଠେଇ ତୋହର ଥିଲେ

ତୋରାଣି ପିଇବାକୁ ଡକାଇ ନେଲେ ଲୋ ଜୀବନ
ହାତକୁ ବନ୍ଧେଇ ଦେଲେ ମୋ ଜୀବନ
ସାଇ ପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ମୋ ଜୀବନ

ଫରୁଆ ପାନିଆ ଦେଲେ ମୋ ଜୀବନ॥

  • ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ପ୍ରସିଦ୍ଧ ଲୋକ ଗୀତ ‘ଆସ ଜୀବନଧନ ମୋର ପଖାଳ କଂସା’ରୁ କେଇଧାଡ଼ି:

ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ

ଜଗନ୍ନାଥ ରସି ଖାଏ ମନେ ତୁ ଭାଳ
ଚାଖି ନାହିଁ ଯିଏ ଥରେ
ଧିକ ତା’ ଜନମରେ
ମଣିଷ ଯାକରେ ସେତ ଅଣ ପୁରୁଷା

ଆସ ଜୀବନ ଧନ ମୋର ପଖାଳ କଂସା॥

ଢଗ[ସମ୍ପାଦନା]

ପଖାଳକୁ ନେଇ ବିଭିନ୍ନ ଢଗ ରହିଛି ।

ମଦରଙ୍ଗା ଶାଗ ରାଇ

ପଖାଳ ଭାତକୁ ଚିଲିକା ଶୁଖୁଆ

ମାଣିକ ପାଟଣା ଦହି॥

  • ଉପକୂଳ/ଦକ୍ଷିଣ ଓଡ଼ିଶାର ଲୋକୋକ୍ତିରେ:

ଦି ମାଇପର ଘଇତା

ତବତ ଖାଇବୁ କି ପଖାଳ ଖାଇବୁ

ବେଳ ଥାଉ ଥାଉ କହିଥା॥

  • ଝିଅଟିଏ ତା’ର ସାଙ୍ଗ, ସାଥି, ବଉଳଙ୍କ ପାଖକୁ ଚିଠି ଲେଖିଲାବେଳେ ଲେଖେ:

ପଖାଳ ଭାତରେ ଉଲି ପିଆଜ
ଅକ୍ଷର ମୋହର ବଡ଼ କଦର୍ଯ୍ୟ॥

  • ଓଡ଼ିଶାର ପଶ୍ଚିମାଞ୍ଚଳରେ ଢଗଟିଏ ଅଛି:

ଲାଲ ଟହଟହ ପାତଲଘଟାଁ, ଧାନ ମିରଚା ନୁନେ,
ଚିଟକି ଚିଟକି ଖାଏମା ପୁତା, ବାସି ପଖାଳର ସାଙ୍ଗେ ।

ଗ୍ୟାଲେରି[ସମ୍ପାଦନା]


ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Heritage holidays, North & Central India. Outlook Publishing (India). 2004.
  2. Adibasi. Tribal Research Bureau, Orissa. 1986.
  3. "ଆର୍କାଇଭ୍ କପି". Archived from the original on 2015-04-02. Retrieved 2015-03-20. {{cite web}}: Cite has empty unknown parameter: |1= (help)
  4. "Jeera pakhala". Archived from the original on 2016-11-22. Retrieved 2011-07-29.
  5. Jeera Pakhala
  6. "Jeera Pakhala". Archived from the original on 2016-03-05. Retrieved 2011-07-29.
  7. Dahi Pakhala
  8. http://www.dharitri.com/Bhubaneswar/060716/p11.htm
  9. "ଓଡ଼ିଆଙ୍କ ପଖାଳ: ସେକାଳରୁ ଏକାଳ". No. ଧରିତ୍ରୀ ୦୮।୦୪।୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଧରିତ୍ରୀ. Retrieved 8 April 2019.
  10. ଜୀବନଧନ ମୋର ପଖାଳ କଂସା, ସଚିତ୍ର ବିଜୟା, ଜୁଲାଇ ୨୦୦୨
  11. http://www.telegraphindia.com/1110804/jsp/northeast/story_14328967.jsp